ଲିବ୍ୟାରେ ପ୍ରକୃତିର ତାଣ୍ଡବ: ୩୦୦୦ରୁ ଅଧିକ ମୃତ, ଉଦ୍ଧାରକାରୀଙ୍କ ମଧ୍ୟରୁ ୧୨୩ନିଖୋଜ

ଟ୍ରିପୋଲି,୧୨।୯: ଲିବ୍ୟା ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଭୟଙ୍କର ଝଡ ଓ ବନ୍ୟାରେ ସାରା ଦେଶ ମାଟି କାମୁଡି ପଡିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୭ ରୁ ୧୦ ହଜାର ଲୋକ ନିଖୋଜ ଅଛନ୍ତି। ଏଯାଏଁ କେବଳ ୭୦୦ଟି ଶବ ଚିହ୍ନଟ ହୋଇପାରିଛି।

ପରିସ୍ଥିତି ଏପରି ସଙ୍ଗୀନ ହୋଇପଡିଛି କି, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୧୨୩ ସୈନିକ ନିଖୋଜ ଅଛନ୍ତି। ୧୨ ସୈନିକଙ୍କ ମୃତହେଦ ମିଳିଛି। ଦେଶର ବିମାନବନ୍ଦରଗୁଡ଼ିକରେ କୌଣସି ଭାରୀ କିମ୍ବା ମାଲବାହୀ ବିମାନ ଅବତରଣ କରିବାରେ ସକ୍ଷମ ନୁହନ୍ତି। ତେଣୁ ସେଠାରେ ସାହାଯ୍ୟ ଯୋଗାଇବା କଷ୍ଟକର ହୋଇପଡିଛି। ବେଙ୍ଗହାଜି ସହରର ଏକ ଚିତ୍ର ଲିବ୍ୟା ସରକାର ପୋଷ୍ଟ କରିଛନ୍ତି। ବନ୍ୟା ଯୋଗୁଁ ଏହି ସହରରେ ୨୮୩ଟି କୋଠା ଭୁଶୁଡି ପଡିଛି। କେବଳ ଏଠାରେ ହିଁ ୧୪୭ଜଣଙ୍କର ମୃତ୍ୟୁ ହୋଇଛି।

‘ଦି ଗାର୍ଡିଆନ’ ଏବଂ ‘ଅଲ ଆରବ ମନିଟର’ର ରିପୋର୍ଟ ଅନୁଯାୟୀ, ଲିବ୍ୟାର ପୂର୍ବ ଭାଗରେ ସ୍ଥିତି ନିୟନ୍ତ୍ରଣରେ ନାହିଁ । ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୦୦ ରୁ ୭୦୦କୁ ବୃଦ୍ଧି ପାଇଛି। ସୋମବାର ଓ ମଙ୍ଗଳବାର ମଧ୍ୟରେ ନିଖୋଜ ଲୋକଙ୍କ ସଂଖ୍ୟା ମଧ୍ୟ ୨୦୦ ରୁ ୧୦ ହଜାରକୁ ବୃଦ୍ଧି ପାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ ଜଲିଲ କହିଛନ୍ତି, ମୃତ୍ୟୁ ସଂଖ୍ୟା ୩ ହଜାରରୁ ଅଧିକ ରହିଛି।  ବର୍ତ୍ତମାନ ଆମେ ମୃତ୍ୟୁସଂଖ୍ୟାକୁ ୩ହଜାର ବୋଲି ବିଚାର କରୁଛୁ, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ୧୦ ହଜାର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ। ଏହା ବ୍ୟତୀତ ଏକ ଲକ୍ଷରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share