ନୂଆଦିଲ୍ଲୀ, ୨।୮: କୋଭିଡ୍ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଥିବା ରବିବାର ପ୍ରକାଶିତ ପ୍ରାଥମିକ ବିକ୍ରି ଡାଟାରୁ ସାମ୍ନାକୁ ଆସିଛି। ଜୁଲାଇ ମାସରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ୨.୩୭ ନିୟୁତ ଟନ ତେଲ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଗତ ବର୍ଷ ସମାନ ସମୟ ତୁଳନାରେ ବିକ୍ରି ୧୭% ଊର୍ଦ୍ଧ୍ୱରେ ରହିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୩.୫୬% ଅଧିକ ବୋଲି ଜଣାପଡିଛି। ସେହିଭଳି ଚଳିତବର୍ଷ ଜୁଲାଇରେ ୫.୪୫ ନିୟୁତ ଟନ୍ ଡିଜେଲ ବିକ୍ରି ହୋଇଛି। ୨୦୨୦ ଜୁଲାଇ ତୁଳନାରେ ଏହା ୧୨.୬% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଡିଜେଲ ବ୍ୟବହାର ୧୦.୯% ନିମ୍ନରେ ରହିଛି। ଡିଜେଲ ଚାହିଦା ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ କିମ୍ବା ବୃଦ୍ଧିକୁ ସୁଚାଇଥାଏ।
ଉଲ୍ଲେଖଯୋଗ୍ୟ, ଭାରତର ବିଶୋଧିତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଡିଜେଲର ଅଂଶ ୪୦% ରହିଛି। ସେହିଭଳି ରୋଷେଇ କ୍ଷେତ୍ରରେ ବ୍ୟବହାର ହେଉଥିବା ୪.୦୫% ବୃଦ୍ଧି ହୋଇ ୨.୩୬ ନିୟୁତ ଟନ୍ରେ ପହଞ୍ଚିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୭.୫୫% ଊର୍ଦ୍ଧ୍ୱରେ ରହିଛି। ସେହିଭଳି ବିମାନ ଇନ୍ଧନ ବ୍ୟବହାର ୨.୯୧ ଲକ୍ଷ ଟନ୍ ରହିଛି। ଗତ ବର୍ଷ ଜୁଲାଇ ତୁଳନାରେ ୨୯.୫% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଏହା ୫୩.୧% କମ୍। ୨୦୨୦-୨୧ ଡାଟା ମୁତାବକ, ପେଟ୍ରୋଲିୟମ ପ୍ରଡକ୍ଟ ଉପରେ କେନ୍ଦ୍ର ସରକାର ଉତ୍ପାଦ ଟିକସ ବାବଦକୁ ୪.୫୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୧୪-୧୫ରେ ଏହା ୧.୭୨ ଲକ୍ଷ ଟଙ୍କା ସ୍ତରରେ ରହିଥିଲା। ଗତ ୬ ବର୍ଷରେ ଉତ୍ପାଦ ଟିକସ ସଂଗ୍ରହ ୩ ଗୁଣ ବଢ଼ିଛି। ସେହିଭଳି ରାଜ୍ୟଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଭାଟ୍ ପରିମାଣ ପ୍ରାୟ ୪୩% ବଢ଼ିଛି। ୨୦୧୪-୧୫ରେ ରାଜ୍ୟର ୧.୩୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୨୦୨୦-୨୧ରେ ଏହା ୨.୦୩ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି। କୋଭିଡ୍ ମହାମାରୀ ସ୍ଥିତି ସତ୍ତ୍ୱେ ମଧ୍ୟ ସରକାର ତେଲ ଉପରେ ବୃହତ୍ ପରିମାଣର ଟିକସ ଲାଗୁ କରିବା ଯୋଗୁ ଏଭଳି ଟିକସ ଆଦାୟ କରିଛନ୍ତି।