ପ୍ରକୃତି, ପରିବେଶ ଓ ସ୍ବାସ୍ଥ୍ୟ

ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ l ଏହାର ମୂଳ କାରଣ ଆଧୁନିକ ନାମରେ ମନୁଷ୍ୟ ଅଧିକ ଆଶା ଓ ଆକାଂକ୍ଷାର ବଶବର୍ତ୍ତୀ ହୋଇ ଆବଶ୍ୟକତାଠାରୁ ଅଧିକ କିଛି ଇଚ୍ଛା କରିବା ହେତୁ ବହୁତ ବର୍ଜ୍ୟବସ୍ତୁ ଠୁଳ ହୋଇ ପରିବେଶକୁ ଦୂଷିତ କରିଥାଏ …

ପୃଥିବୀ ସୃଷ୍ଟି ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ବିବର୍ତ୍ତନ ମତବାଦ ଅନୁଯାୟୀ ପୃଥିବୀର ଆଭ୍ୟନ୍ତରୀଣ ଭୌଗୋଳିକ ଗଠନକୁ ଅନୁଶୀଳନ କଲେ ଜାଣିପାରିବା ଯେ ଯୁଗୋପଯୋଗୀ ସହ ତାଳ ମିଳାଇ ମାନବ ସଭ୍ୟତା ନିଜର ଆଧୁନିକତା ବଜାୟ ରଖିବା ନିମନ୍ତେ ମାତ୍ରାଧିକ ଆଶା ପୂରଣ ତଥା ଲୋଭଗ୍ରସ୍ତ ହେତୁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମନୁଷ୍ୟ ଆଧୁନିକତା ସହିତ ସାଲିସ କରି ଚାଲିବା ସହ କେତେବେଳେ କେଉଁ ଜିନିଷ ଅତ୍ୟଧିକ ଆବଶ୍ୟକତା ଅନୁଭବ କରି କ୍ରୟ କରିଥାଏ, ପରବର୍ତ୍ତୀ ସମୟରେ ତାହା ଅଲୋଡ଼ା ହୋଇଥାଏ। ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବହୁଳ ପରିମାଣରେ କ୍ରୟ କରି ପରବର୍ତ୍ତୀ ସମୟରେ ଘରେ ମୂଲ୍ୟହୀନ ଭାବେ ଏଣେତେଣେ ପଡି ରହିଥାଏ l ଏସବୁ ପ୍ରତି ଆମେ ଧ୍ୟାନ ଦେବା ଉଚିତ l
ମନୁଷ୍ୟ ଶରୀରରୁ ନିର୍ଗତ ମଳମୂତ୍ର, ଗୃହପାଳିତ ପଶୁଙ୍କ ମଳମୂତ୍ର ଓ ବାସଗୃହରୁ ବାହାରୁଥିବା ଆବର୍ଜନା, ବିଭିନ୍ନ କୃଷିଜାତ ଦ୍ରବ୍ୟର ଆବର୍ଜନା ଆମ ପାଇଁ ଅଲୋଡ଼ା ହୋଇଥିବା ବେଳେ ସେଥିରୁ ପ୍ରସ୍ତୁତ ଜୈବିକସାର କ୍ଷେତ ପାଇଁ ବହୁମୂଲ୍ୟ ଦେଇ ଚାଷୀ କିଣିଥାଏ l ପାଟିରୁ ନିର୍ଗତ କଫ ନଦୀ, ବନ୍ଧରେ ପଡିଲେ ମାଛ ଖାଇଥାଏ। ସେହି ମାଛକୁ ଆମେ ଚଢ଼ା ଦରରେ କିଣି ସ୍ବାସ୍ଥ୍ୟ ହିତ ପାଇଁ ଖାଇଥାଉ। ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ l ଏହାର ମୂଳ କାରଣ ଆଧୁନିକ ନାମରେ ମନୁଷ୍ୟ ଅଧିକ ଆଶା ଓ ଆକାଂକ୍ଷାର ବଶବର୍ତ୍ତୀ ହୋଇ ଆବଶ୍ୟକତାଠାରୁ ଅଧିକ କିଛି ଇଚ୍ଛା କରିବା ହେତୁ ବହୁତ ବର୍ଜ୍ୟବସ୍ତୁ ଠୁଳ ହୋଇ ପରିବେଶକୁ ଦୂଷିତ କରିଥାଏ l
ଏହାର ସରଳ ସମାଧାନ ପାଇଁ ଯଦି ମନୁଷ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀକୁ ସୁରକ୍ଷା ସହ ଦୀର୍ଘଦିନ ବ୍ୟବହାର କରନ୍ତା ତେବେ ବର୍ଜ୍ୟବସ୍ତୁର ମାତ୍ରା ହୁଏତ ନିଶ୍ଚିନ୍ତ କମିପାରନ୍ତା l ଉଦାହରଣ ସ୍ବରୂପ ଆମେ ଘରକୁ ଯେତେ ପଦାର୍ଥ କ୍ରୟ କରି ଆଣିବା ତାହା ପରବର୍ତ୍ତୀ ସମୟରେ ବର୍ଜ୍ୟବସ୍ତୁରେ ପରିଣତ ହୋଇ ତାହାକୁ ବାହାରକୁ ଫୋପାଡ଼ିବାକୁ ଆମେ ବାଧ୍ୟ ହେଉଛେ, ଯାହାକି ପରିବେଶ ପାଇଁ ବୋଝ ସଦୃଶ ହେଉଛି l
ନିଜ ଘର ପାଇଁ ଆମେ କଲମ, ପେନସିଲ, ଲୁଗାପଟା, ବିଭିନ୍ନ ପ୍ଲାଷ୍ଟିକ ଖେଳନା, କୁଲର ଆଦି କିଛିଦିନ ବ୍ୟବହାର ପରେ ତାହା ବର୍ଜ୍ୟବସ୍ତୁ ହୋଇ ପରିବେଶ ଦୂଷିତ ଘଟାଇବା ଏକ ସାଧାରଣ କଥା। କିନ୍ତୁ ଏହିପରି ସମାଜର, ଗ୍ରାମର, ଜିଲାର, ରାଜ୍ୟର ଓ ଦେଶର କଥା ସାମୂହିକ ଭାବେ ଚିନ୍ତା କରାଗଲେ ତାହା ବିପୁଳ ପରିମାଣର ବର୍ଜ୍ୟବସ୍ତୁ ଏକାଠି ହୋଇ ପରିବେଶକୁ ବୃହତ ଆକାର କ୍ଷତି ପହଞ୍ଚାଇବ ଏଥିରେ ଦ୍ବିମତ ନାହିଁ l ଏହାର ତାତ୍ପର୍ଯ୍ୟ ଏହିକି ଯେ ଆମ ପାଶ୍ଚାତ୍ୟ ରାଷ୍ଟ୍ରର ଢାଞ୍ଚାକୁ ଆପଣେଇ ବିଭିନ୍ନ ଅଦରକାରୀ ଜିନିଷ କିଣି କିଛିଦିନ ବ୍ୟବହାର କରି ଫିଙ୍ଗି ଦେଇଥାଉ l ସାମୂହିକ ଭାବେ ବିଚାର କଲେ ଅଧିକ ପଦାର୍ଥ କିଣାଗଲା ଓ ଫିଙ୍ଗା ଗଲା l ବିଭିନ୍ନ ପ୍ରକାର ପଲିଥିନ, ପ୍ଲାଷ୍ଟିକ ବୋତଲ, ଖେଳନା, ଟାୟାର, କଲମ, ଖଟ, ଗଦି, କୁଲର, ଫ୍ରିଜ ଆଦି ଅଦରକାରୀ ବସ୍ତୁ ପାହାଡ଼ ପରି ଜମାହୋଇ ପରିବେଶ ପ୍ରଦୂଷଣ କରିଥାଏ। ତେଣୁ ଏଥିରେ ଆମେ ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ ରହିଛି l
ଏତଦ୍‌ବ୍ୟତୀତ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ମାଧ୍ୟମରେ ଘରର ପନିପରିବା ଚୋପା, ଦୋକାନ, ବଜାର, ହୋଟେଲ, ଡାକ୍ତରଖାନା ଆଦିରୁ ବାହାରୁଥିବା ଆବର୍ଜନା, କୃଷିଜାତ ପଦାର୍ଥର ବର୍ଜ୍ୟବସ୍ତୁ, ସହରର ବହିରାଗତ ବର୍ଜ୍ୟବସ୍ତୁ ଆଦିକୁ ବିଭିନ୍ନ ଉପାୟରେ ଚାଷ ଉପଯୋଗୀ କରାଯାଇ ପ୍ରକୃତି ଓ ପରିବେଶକୁ ସନ୍ତୁଳିତ କରିବାରେ ଆମେ ଯତ୍ନବାନ ହେବା ଜରୁରୀ , ଯଦ୍ଦ୍ବାରା ପ୍ରକୃତି ଓ ପରିବେଶ ସ୍ବଚ୍ଛ ଓ ସୁସ୍ଥ ରହିପାରିବ l
ପ୍ରକୃତି ଓ ପରିବେଶ ସୁରକ୍ଷା ସହ ସ୍ବାସ୍ଥ୍ୟର ଯତ୍ନ ପାଇଁ କେତେକ ନିୟମ ମାନି ଚଳିବାକୁ ହେବ l ଆମ ଦୃଷ୍ଟିରେ ଆସୁଥିବା ବର୍ଜ୍ୟବସ୍ତୁକୁ ସୁପରିଚାଳନା କରି ପ୍ରକୃତି ଓ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ବର୍ଜ୍ୟବସ୍ତୁକୁ କାର୍ଯ୍ୟରେ ଉପଯୁକ୍ତ ମାର୍ଗରେ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେବା ଉଚିତ l
ଗୁଣ ଓ ପ୍ରକାରଭେଦରେ ବର୍ଜ୍ୟବସ୍ତୁକୁ ‘ଦୁଇ’ ଭାଗରେ ବିଭକ୍ତ କରାଯାଇ ପାରିବ, ଏହି ମାଧ୍ୟମରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ପରିବେଶ ପ୍ରଦୂଷଣ ମୁକ୍ତ କରାଯାଇ ସ୍ବାସ୍ଥ୍ୟହାନିରୁ ଆମେ ରକ୍ଷା ପାଇପାରିବା l ୧.ଜୈବ : ଉପଯୁକ୍ତ ବିଘଟନ (ନଷ୍ଟ)ହୋଇଯାଇଥାଏ l
୨.ଜୈବ : ଉପଯୁକ୍ତ ବିଘଟନ ହୋଇ ନ ପାରିବା l
ଜୈବ ବିଘଟନ ଉପଯୁକ୍ତ ହୋଇପାରିବା ବର୍ଜ୍ୟବସ୍ତୁ : ଘରର ପନିପରିବା ଚୋପା, ଅଣ୍ଡାଖୋଳ, ମାଛକାତି ଏବଂ କଦଳୀ, କମଳା, ଡାଳିମ୍ବ ଚୋପା, ବାସି ଫୁଲ, ଶୁଖିଲା ପତ୍ର, ଶୁଖିଲା ଘାସ ଓ ପଇଡ଼ ଖୋଳ, ନଡା, ଅଗାଡି, କୁଣ୍ଡା, ଆଖୁଛେଦା ଏତଦ ସହ ନାଳ ନର୍ଦ୍ଦମାରୁ ନିର୍ଗତ ମଇଳା ସମୂହ ସ୍ବତଃପ୍ରବୃତ୍ତ ଭାବେ ଜଳବାୟୁ ମାଧ୍ୟମରେ ନଷ୍ଟ ହୋଇଯାଇଥାଏ l
ଜୈବ ବିଘଟନ ଅନୁପଯୁକ୍ତ (ଉପଯୁକ୍ତ ଭାବେ ବିଘଟନ ହୋଇ ନ ପାରିବା): ଯେଉଁ ବର୍ଜ୍ୟବସ୍ତୁ ପ୍ରକୃତିର ଜଳବାୟୁ ଦ୍ୱାରା ବିଘଟନ ହୋଇପାରି ନ ଥାଏ ତାକୁ ଜୈବବିଘଟନ ଅନୁପଯୁକ୍ତ କୁହାଯାଏ l ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ l
ପୁନଃବିନିଯୋଗ କରିବା : ସାଧାରଣତଃ ପ୍ଲାଷ୍ଟିକ ବୋତଲ, ପଲିଥିନ, ଜରି, ସୋଲ, ଥର୍ମୋକୁଲ, ଟିଣ, କପ୍‌ପ୍ଲେଟ, ଚମଡା ଆଦି ଅଦରକାରୀ ସାମଗ୍ରୀକୁ ତରଳାଇ କିମ୍ବା ପୁନଃ ଉପଯୋଗୀ କରାଯାଇଥାଏ। ଏଗୁଡ଼ିକ ପ୍ରକୃତିର ଜଳବାୟୁ ଦ୍ୱାରା ବିଘଟନ ହୋଇ ନ ପାରି ପରିବେଶକୁ ପ୍ରଦୂଷଣ କରିବାର ଅଧିକ ଆଶଙ୍କା ରହିଥାଏ l
ସଙ୍କଟକାରୀ ବର୍ଜ୍ୟବସ୍ତୁ : ସାଧାରଣତଃ ସମୟ ଅତିକ୍ରାନ୍ତ ଔଷଧ, ରାସାୟନିକ ପଦାର୍ଥ, ପୁରୁଣା ବ୍ୟାଟେରି, ରାସାୟନିକ ସାର, କୀଟନାଶକ ଔଷଧ ଆଦି ବୈଜ୍ଞାନିକ ପଦ୍ଧତି ଦ୍ୱାରା ନିଷ୍କ୍ରିୟ କରାଯିବା ଉଚିତ l ଘରଠାରୁ ସହର ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ ରକମର କୁଢ଼ କୁଢ଼ ଅଳିଆ ଆବର୍ଜନା ପାହାଡ଼ ପରି ଜମା ହୋଇଥାଏ, ଯାହାକି ପରିବେଶକୁ ଦୂଷିତ କରିଥାଏ। ଏହାର ସମାଧାନ ନିମନ୍ତେ ବ୍ୟକ୍ତିଗତ, ସାମୂହିକ, ସରକାରୀ ଓ ବେସରକାରୀ ସ୍ତରରେ ସଚେତନ ହୋଇ ଉପରୋକ୍ତ ଜୈବପଦ୍ଧତି ଦ୍ୱାରା ସମସ୍ତ ବର୍ଜ୍ୟବସ୍ତୁକୁ ଉପଯୁକ୍ତ ପ୍ରଣାଳୀରେ ବିଘଟନ କରି ପୁନଃ ପ୍ରଚଳନ କରିବା ଦରକାର। ବର୍ଜ୍ୟବସ୍ତୁକୁ ଯଦି ନିଷ୍କ୍ରିୟ କରା ନ ଯାଏ ତେବେ ପ୍ରକୃତି ଓ ପରିବେଶ,ଜଳବାୟୁ ଉପରେ ଏହା ପ୍ରତିକୂଳ ପ୍ରଭାବ ପଡ଼ିବ, ଯଦ୍ଦ୍ବାରା ଏକ ଭୟାନକ ପରିସ୍ଥିତିକୁ ଆମେ ଓ ଭବିଷ୍ୟତ ପିଢ଼ି ସାମ୍ନା କରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର. ଚନ୍ଦାହାଣ୍ଡି,
ନବରଙ୍ଗପୁର l
ମୋ: ୭୮୯୪୧୧୨୪୮୭