Categories: ଫୁରସତ

ଦମ୍ପତିଙ୍କ ପ୍ରକୃତି ଅନୁକୂଳ ଘର

ଜୟପୁର: ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସ୍ବପ୍ନର ଘରେ ରହିବାକୁ ଚାହାନ୍ତି, ଯେଉଁଠାରେ ସେ ନିଜ ପରିବାର ସହ ସୁଖରେ ରହିପାରିବ। କିନ୍ତୁ ଏପରି ଏକ ପରିବାର, ଯିଏ ସ୍ବପ୍ନ ସହିତ ପରିବେଶର ମଧ୍ୟ ଧ୍ୟାନ ରଖିଥିବା ଦେଖିବାକୁ ମିଳିଛି। ଏହାସହ ପ୍ରକୃତିକୁ ସୁହାଇଲା ଭଳି ଘର ନିର୍ମାଣ କରିଛନ୍ତି। ରାଜସ୍ଥାନ ଡୁଙ୍ଗରପୁର ସହରର ସିଭିଲ ଇଞ୍ଜିନିୟର ଆଶିଷ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ମଧୁଲିକା ପରିବେଶ ଅନୁକୂଳ ଘର ନିର୍ମାଣ କରିଛନ୍ତି। ମଧୁଲିକା ପେସାରେ ଜଣେ ସଫ୍ଟୱେୟର ଡେଭେଲପର ହୋଇଥିବାବେଳେ ସମାଜସେବା ମଧ୍ୟ କରିଥା’ନ୍ତି। ତାଙ୍କ ଘରର ସମସ୍ତ ଅଂଶ ପରିବେଶ ଅନୁକୂଳ ଅଟେ। ଆଶିଷଙ୍କ ପାଠପଢ଼ା ମାଡ୍ରାସରେ ସରିଥିଲା। ପରେ ସେ ସିଭିଲ ଇଞ୍ଜିନିୟର ରୂପେ ଚାକିରି କଲେ। ସେ ଦେଶର ବିଭିନ୍ନ ଜାଗାକୁ କାମ କରିବାକୁ ଯାଉଥିଲେ। ସେହିଭଳି ମଧୁଲିକା ଇଞ୍ଜିନିୟରିଂ କରିବା ପରେ ବିଦେଶ ଯାଇ ବର୍ଷେ କାମକଲେ। ସେମାନେ ବିଭିନ୍ନ ଜାଗା ବୁଲିବା ପରେ ୨୦୦୮ରେ ବିବାହ କରିଥିଲେ। ସେତେବେଳୁ ଇଟା କି ସିମେଣ୍ଟ ଘରେ ରହିବେନି ବୋଲି ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ଗ୍ରାମରେ ଯାଇ ରହିବାକୁ ଲାଗିଲେ। ହେଲେ ତାଙ୍କୁ ଭଲ ଲାଗିଲାନି। ସେମାନେ ଏପରି ଜାଗାରେ ରହିବାକୁ ଚାହୁଁଥିଲେ, ଯେଉଁଠାରେ କମ୍‌ ସୁବିଧା ଉପଲବ୍ଧ ଥିବ ଏବଂ ନିଜ କାମ ମଧ୍ୟ ଆରାମରେ ହୋଇପାରୁଥିବ। ୨୦୧୦ରେ ଡୁଙ୍ଗରପୁରରେ ସେମାନଙ୍କର ଏକ ଝିଅ ଜନ୍ମହେଲା। ସେଥିପାଇଁ ସେମାନେ ସେହିଠାରେ ହିଁ ରହିବାକୁ ନିଷ୍ପତ୍ତି ନେଲେ। ଦୁହେଁ ମିଶି ସ୍ଥାନୀୟ ଜିନିଷ ବ୍ୟବହାର କରି ଏକ ଘର ନିର୍ମାଣ କଲେ, ଯେଉଁଥିରେ ସିମେଣ୍ଟ କି ଇଟାର ବ୍ୟବହାର ନ କରି ସେମାନେ ପ୍ରକୃତି ଅନୁକୂଳ ସାମଗ୍ରୀ ବ୍ୟବହାର କଲେ। ବିଭିନ୍ନ ପ୍ରକାର ପଥର, ମାଟିର ବ୍ୟବହାର କଲେ। ଘରର କବାଟ ଓ ଝରକା ତିଆରି ସମୟରେ ଘରକୁ କିପରି ସୂର୍ଯ୍ୟକିରଣ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନଦେଲେ। ତେବେ ୨୦୧୭ରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲା। ତାଙ୍କ ଘରେ ଏବେ ଏସି କି ଫ୍ୟାନ୍‌ର ଆବଶ୍ୟକତା ପଡ଼େନି।

Share