ମଞ୍ଜୁରି ଅପେକ୍ଷାରେ ନୌପଡା-ଗୁଣପୁର ରେଳପଥ

ଗୁଣପୁର,୧୬ା୬(ପ୍ରଦୀପ କୁମାର ପାଢୀ): ନୌପଡା-ଗୁଣପୁର ରେଳପଥ ଭିତ୍ତିଭୂମି ବିକାଶ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘ ଆବାହକ ଡ.ସତ୍ୟ ପ୍ରକାଶ ପଣ୍ଡାଙ୍କ ପତ୍ରର ଉତ୍ତର ଦେଇ ଏହାର ବିକାଶ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩ରେ ଡ.ପଣ୍ଡା ପୂର୍ବତଟ ରେଳ ବିଭାଗ ଅଧିକାରୀଙ୍କୁ ପତ୍ର ଲେଖି ନୌପଡା-ଗୁଣପୁର ରେଳପଥର ବିକାଶ ସହ ଗୁଣପୁର ଥେରୁବାଲି ରେଳପଥ ଉପରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ପୂର୍ବତଟ ରେଳପଥ ଅଧୀନ ବିଶାଖାପାଟଣା କମର୍ସିଆଲ ଡିଭିଜନାଲ ମ୍ୟାନେଜରଙ୍କ ପକ୍ଷରୁ ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଅଖିଳେଶ କୁମାର ତ୍ରିପାଠୀ ରେଳ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଉତ୍ତର ରଖିଛନ୍ତି।
ଗୁଣପୁର ଏବଂ ପାରଳାଖେମୁଣ୍ଡିରେ ନିର୍ମାଣାଧୀନ ପ୍ଲାଟଫର୍ମ ନଂ.୧ରେ ଉଚ୍ଚତା ବୃଦ୍ଧି କାର୍ଯ୍ୟ ଅଗଷ୍ଟ ସୁଦ୍ଧା ସରିବ ବୋଲି କହିଛନ୍ତି। ଉଭୟସ୍ଥାନରେ ୨ ନଂ. ପ୍ଲାଟଫର୍ମ ସକାଶେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ପ୍ରସ୍ତାବ ଦିଆଯାଇଛି। ରେଲୱେ ବୋର୍ଡ ମଞ୍ଜୁରି ମିଳିଲେ କାର୍ଯ୍ୟହେବ ବୋଲି ସୂଚନା ଦିଆଯାଇଛି। ଲୋକଙ୍କ ଦୀର୍ଘ ଦିନର ଦାବି କାଶୀନଗର ଏବଂ ତେମ୍ବୁରଠାରେ ନୂତନ ଷ୍ଟେଶନ ନିର୍ମାଣ ଏବଂ ଗୁଣପୁରଠାରେ ଦୁଇଟି ନୂଆ ଲୁପ୍‌ ଲାଇନ୍‌ ହେଲେ ଅଧିକ ଟ୍ରେନ ଯାତାୟାତ ସହ ଚଳାଚଳରେ ସମୟାନୁବର୍ତ୍ତିତା ରହିବା ସହ ଥେରୁବାଲକୁ ରେଳ ସଂଯୋଗ ହେଲେ ସମସ୍ୟାର ସମାଧାନ ହୋଇପାରିବ। ନୂଆପଡା ଏବଂ ଗୁଣପୁର ମଧ୍ୟରେ ଟ୍ରାକ୍‌ଗୁଡିକର ଦୃଢୀକରଣ କାର୍ଯ୍ୟ ଚାଲିଛି। ଏହା ସରିଲେ ବେଗ ବଢିବ ବୋଲି କହିଛନ୍ତି। ସେହିଭଳି ଗୁଣପୁର -ଥେରୁବାଲି ନୂଆ ରେଳପଥର ଚୂଡାନ୍ତ ଡିପିଆର ମଞ୍ଜୁରି ଅପେକ୍ଷାରେ ରହିଛି। ଏହାକୁ ମଞ୍ଜୁରି ମିଳିଲେ କାର୍ଯ୍ୟରେ ଅଗ୍ରଗତି ହେବ ବୋଲି ଭୁବନେଶ୍ୱର ପୂର୍ବତଟ ରେଳପଥ ନିର୍ମାଣ ବିଭାଗ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗତ ୧୭ ତାରିଖରେ ଡ.ପଣ୍ଡାଙ୍କ ଦ୍ୱାରା ରଖାଯାଇଥିବା ଦାବୀ ଉପରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗୁଣପୁର-ନୌପଡା ରେଳପଥରେ ବର୍ତ୍ତମାନ ୪ ଯୋଡା ଟ୍ରେନ ଚାଲୁ ରହିଛି। ଅଧିକ ଟ୍ରେନ ଚଳାଚଳ ସହ ବେଗ ବୃଦ୍ଧି, ୧ ନଂ. ପ୍ଲାଟଫର୍ମର ଉଚ୍ଚାତ ବୃଦ୍ଧି, ୨ ନଂ ପ୍ଲାଟଫର୍ମ ନ ଥିବାରୁ ଯାତ୍ରୀମାନେ ଯାତାୟାତରେ ହଇରାଣ ହେଉଛନ୍ତି। ବିଭିନ୍ନ ସମସ୍ୟା ଯୋଗୁ ଟ୍ରେନଗୁଡିକ ଠିକ୍‌ ସମୟରେ ରହୁନଥିବା ନେଇ ଲୋକେ ଏହାର ସମାଧାନ ପାଇଁ ଦୀର୍ଘ ଦିନରୁ ଦାବୀ କରୁଥିଲେ। ସେହିପରି ୨୦୧୭-୧୮ ବଜେଟରେ ୭୯.୧୫ ଦୂରତା ଗୁଣପୁର ଥେରୁବାଲି ରେଳପଥ ଲାଗି ୯୩୫.୭୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଗତ ବଜଟରେ ଏଥିଲାଗି ୫୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୬ ବର୍ଷ ବିତି ଥିଲେ ମଧ୍ୟ ଏହି ରେଳପଥର ଭାଗ୍ୟ ସୂତାଖିଅରେ ଝୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।