ନଭାଲନିଙ୍କୁ ଆଉ ୧୯ ବର୍ଷ ଜେଲ

ମସ୍କୋ,୫ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନିଙ୍କୁ ଏକ କୋର୍ଟ ଶୁକ୍ରବାର ୧୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ ନଭାଲନିଙ୍କୁ ସାଢ଼େ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ସେ କାରାଗାରରେ ଦଣ୍ଡ ଭୋଗୁଛନ୍ତି। ନଭାଲନିଙ୍କ ଦୁର୍ନୀତି ନିରୋଧୀ ଫାଉଣ୍ଡେଶନ୍‌ ଏବଂ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମନ୍ତବ୍ୟ ସମ୍ପର୍କିତ ଏହି ମାମଲାକୁ ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି।
ବର୍ଷୀୟ ଆଇନଜୀବୀ ତଥା ରାଜନେତା ନଭାଲନି ଏକଦା ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ବିରୋଧରେ ରାସ୍ତାରେ ବିକ୍ଷୋଭର ନେତୃତ୍ୱ ନେଉଥିଲେ। ସେ ଦେଶବ୍ୟାପୀ ଏକ ରାଜନୈତିକ ବିରୋଧୀ ମଞ୍ଚ ଗଢ଼ି କ୍ରେମ୍‌ଲିନ୍‌ରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ଜୀବନଶୈଳୀର ବିସ୍ତୃତ ବିବରଣୀ ଲୋକଙ୍କ ଆଗରେ ରଖିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ରୁଷିଆ ତାଙ୍କୁ ମୋଟ ୩ ଦଶନ୍ଧି ପର୍ଯ୍ୟନ୍ତ ଜେଲରେ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ୭୦ ବର୍ଷୀୟ ପୁଟିନ୍‌ ଜୀବିତ ଥିବା ପର୍ଯ୍ୟନ୍ତ ନଭାଲନି ଆଉ ଜେଲରୁ ମୁକୁଳିପାରିବେ ନାହିଁ। ୨୦୫୦ରେ ନଭାଲନି ମୁକ୍ତ ହେବା ସମୟରେ ତାଙ୍କୁ ୭୪ ବର୍ଷ ହେଉଥିବ।
ଠକେଇ ଓ ଅନ୍ୟ କେତେକ ମାମଲାରେ ପୂର୍ବରୁ ମିଳିଥିବା ସାଢ଼େ ୧୧ ବର୍ଷ ଜେଲଦଣ୍ଡ ଭୋଗୁଥିବାବେଳେ ତାଙ୍କ ସମର୍ଥକମାନଙ୍କୁ କଠୋରପନ୍ଥୀ ଗତିବିଧିରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ ରଖାଯାଇଛି। ଶୁକ୍ରବାର ଜେଲ ୟୁନିଫର୍ମ ପିନ୍ଧି ହସ ହସ ମୁହଁରେ ମେଲେଖୋଭୋସ୍ଥିତ ଆଇକେ-୬ ପେନାଲ କଲୋନି କୋର୍ଟର ବିଚାରପତିଙ୍କ ସମ୍ମୁଖରେ ସେ ହାଜର ହୋଇଥିଲେ। ନଭାଲନିଙ୍କୁ ୨୦ ବର୍ଷ ଜେଲଦଣ୍ଡ ଦେବାକୁ ଅଭିଯୋଜନକାରୀ ପକ୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। କୋର୍ଟ ରାୟ ଆସିବା ପରେ ନଭାଲନି କହିଛନ୍ତି, ଏହା ହେଉଛି ଷ୍ଟାଲିନିଷ୍ଟ ଧରଣର ଲମ୍ବା ଅବଧି। ଏହାକୁ ମିଶାଇ ନାଭାଲନିଙ୍କୁ ମୋଟ ୫ ଥର ଦୋଷୀ ସାବ୍ୟସ୍ତ କରାଗଲାଣି। ଏହାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି। ଏହାପୂର୍ବରୁ ୨୦୨୦ ଅଗଷ୍ଟ ୨୦ରେ ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ନଭାଲନିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା।

Share