ନବୀନ କରିଥିଲେ ପ୍ରଶ୍ନ, ଚମକାଇଲା ମୁଖ୍ୟମନ୍ତ୍ରୀଙ୍କ ଜବାବ

ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଛନ୍ତି କଡ଼ା ଜବାବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନେଇ ନବୀନ ପ୍ରଶ୍ନ ଉଠାଇଥିବାବେଳେ ମୋହନଙ୍କ ଜବାବ ସମସ୍ତଙ୍କୁ ତାଜୁବ କରିଦେଇଛି।

ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ନବୀନ ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ। ରଥଯାତ୍ରା ସମୟରେ ନାନା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା କଥା ଉଠାଇଥିଲେ ନବୀନ। ଏଥିସହିତ ଚିକିଟି ମଦ ମୃତ୍ୟୁ ଏବଂ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ମୋ’ ସରକାରରେ ଆଇନ ବିଶୃଙ୍ଖଳା ହୋଇନି, ଏସବୁ ଘଟଣା ଚିନ୍ତାଜନକ ଅଟେ। ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ବୋଲି ନବୀନ କହିଥିଲେ।

ଯାହାର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖି ମୋହନ ମାଝି କହିଛନ୍ତି, ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ରହୁ ନାହାନ୍ତି। ବୋଧହୁଏ ତାଙ୍କର ବିଧାନସଭା ଠୁ ଅନ୍ୟକିଛି ଗୁରୁତ୍ୱପୂର୍ଣ୍ଣ କାମ ଥିବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି, ଶାନ୍ତି ବଜାୟ ରହିଛି। ୮୧ ଦିନ ସରକାରରେ ଅପରାଧିକ ସ୍ଥିତି ନେଇ ୨ରୁ ୩ଥର ସମୀକ୍ଷା କରିଛି।

ନବୀନଙ୍କୁ ଟାର୍ଗେଟ କରି ମୋହନ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ କେବେ ଧ୍ୟାନ ଦେଇନାହାନ୍ତି। ପୂର୍ବ ସରକାରରେ ଅପରାଧୀଙ୍କ ମନରେ ଡର କି ଭୟ ନଥିଲା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଇ ନ ଥିଲା। ଆମ ସରକାର ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ମୋହନ କହିଛନ୍ତି।

Share