ବାଲିଯାତ୍ରା ପଥୋତ୍ସବରେ ନବୀନ ବନ୍ଦନା

କଟକ ଅଫିସ,୧୭ା୧୧:ପୁରୀରେ ହବିଷିଆଳିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଦନା ଗାନ କରାଯାଇଥିଲା। ସେତେବେଳେ ଏହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଏହି ନବୀନ ବନ୍ଦନାର ପୁନରାବୃତ୍ତି ଘଟିଛି କଟକ ବାଲିଯାତ୍ରାରେ, ଯାହାକୁ ନେଇ ପୁଣି ଥରେ ରାଜ୍ୟରେ ଚର୍ଚ୍ଚା ହେବାରେ ଲାଗିଛି।
ସବୁଦିନ ଭଳି ବୁଧବାର ସକାଳେ ବାଲିଯାତ୍ରାର ପଥୋତ୍ସବ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ମହାନ୍ତି ମଞ୍ଚରେ ଚାଲିଥିଲା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ। ଠିକ୍‌ ସେହି ସମୟରେ ମଞ୍ଚରେ ଚଢ଼ି ଯାଇଥିଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି। ସେଠାରେ ଛିଡ଼ା ହୋଇ ଗାଇଥିଲେ ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍‌’। ଗତ ନିର୍ବାଚନ ପ୍ରଚାରବେଳେ ଏହି ଗୀତ ପ୍ରସ୍ତୁତ ହୋଇଥିଲା। ତେବେ ଅବିନାଶ ଏହି ଗୀତ ଗାଉଥିବା ସମୟରେ ସେଠାରେ କଟକ ଜିଲାପାଳ, ଉପଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ସଂସ୍କୃତି ବିଭାଗ ଅଧିକାରୀଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ହେଲେ କେହି ଜଣେ ଏହାର ପ୍ରତିବାଦ କରି ନ ଥିଲେ। ଐତିହାସିକ ବାଲିଯାତ୍ରା ସହ କଟକ ସମେତ ସାରା ଓଡ଼ିଶାର ଭାବାବେଗ ଜଡ଼ିତ। ଏହା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି)ର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ବାଲିଯାତ୍ରା ହୋଇଆସୁଛି। ଦଳ, ମତ, ସମ୍ପ୍ରଦାୟ ନିର୍ବିଶେଷରେ ସବୁବର୍ଗର ଲୋକେ ବାଲିଯାତ୍ରାରେ ସାମିଲ ହେଉଛନ୍ତି। ଏସବୁ ସତ୍ତ୍ୱେ ମଞ୍ଚରେ ନବୀନ ବନ୍ଦନା ପରିବେଷଣକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ଏ ସମ୍ପର୍କରେ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଏହା ହେଉଛି ଗାୟକଙ୍କ ପର୍ସନାଲ ଚଏସ। ଜଣେ ଗାୟକ କ’ଣ ଗାଇବ ସେଥିରେ ତାଙ୍କ ସ୍ବାଧୀନତା ଥାଏ। ସେ ରାଜନୈତିକ ଦଳର କର୍ମକର୍ତ୍ତା ନେଇ ମୋ’ ପାଖରେ ଖବର ନାହିଁ। ଏ ବାବଦରେ ଆଗକୁ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ଏଭଳି ଗୀତ ଗାଇବାକୁ କେହି ପ୍ରୋତ୍ସାହନ ଦେଉନାହାନ୍ତି। ଯେମିତି ଆଗକୁ ଏହାର ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

Share