ପର ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୬।୬: ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନୁଆଦିଲ୍ଲୀରେ ଆଲୋଚନା ଚାଲିଛି। ଏସବୁ ଭିତରେ ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷୀଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ପର ମୁଣ୍ଡରେ ଦୋଷ ଦେଇ ନବୀନ ଖସି ପାରିବେନି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ। ପାଣ୍ଡିଆନ କିଏ, ତାଙ୍କୁ ନିଯୁକ୍ତି କିଏ ଦେଇଥିଲା ପଚାରିଲେ ପ୍ରତାପ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।
ପ୍ରତାପ କହିଛନ୍ତି, ଜଣେ ସରକାରୀ ଚାକର ନେତାଙ୍କୁ ନଚାଇଲା, ନବୀନ କେମିତି ଜାଣିପାରିଲେନି ଜାଣିପାରିଲେନି। ଶକୁନି ଠାରୁ ଦୁର୍ଯ୍ୟୋଧନ ବେଶୀ ଦାୟୀ, ନବୀନ ଖସି ପାରିବେନି। ଦୁର୍ନୀତିର ତଦନ୍ତ ହେବ। କେଡ଼େ କେଡ଼େ ଲୋକ ଜେଲ ଯାଉଛନ୍ତି, ସେଥିରେ ଆଉ ସନ୍ଦେହ ନାହିଁ।
ସୂଚନାଯୋଗ୍ୟ,ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇବା ଓଡ଼ିଶାରେ ପଦ୍ମର ସୁଅ ବହିଛି।
ସେହିଭଳି ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ସିଟ୍‌ ଜିତିଛି। ୨୦୧୯ ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୨ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

Share