ସମଲିଙ୍ଗୀ ସମ୍ପର୍କରେ ମୁହଁ ଖୋଲିଲେନି ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫: ଦେଶରେ ସମଲିଙ୍ଗୀ ବିବାହକୁ ଆଇନତଃ ସ୍ବୀକୃତି ପ୍ରଦାନ କରିବା ନେଇ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ଗୁରୁବାର ଏପ୍ରସଙ୍ଗରେ ବିଜେଡିର କ’ଣ ଆଭିମୁଖ୍ୟ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ରକ୍ଷା କରିଛନ୍ତି। ଏସମ୍ପର୍କରେ ସେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି। ଏପରି କି ସମଲିଙ୍ଗୀ ବିବାହ ସମ୍ପର୍କରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା କହିଛନ୍ତି।
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏପରି କି ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ। ମୋଦିଙ୍କ ସହ ଆଲୋଚନା ପରେ ନବୀନ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ସମୟରେ ତାଙ୍କୁ ସମଲିଙ୍ଗୀ ବିବାହକୁ ସ୍ବୀକୃତି ସମ୍ପର୍କରେ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ହେଲେ ନବୀନ ଏସମ୍ପର୍କରେ କୌଣସି ଉତ୍ତର ନ ଦେଇ ମୋଦିଙ୍କ ସମୟ କୌଣସି ଆଲୋଚନା ହୋଇ ନ ଥିବା କହିଥିଲେ।
ପ୍ରକାଶ ଯେ, ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ପାଇଁ ୧୮ଟି ସମଲିଙ୍ଗୀ ଯୋଡ଼ି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଏପ୍ରିଲ୍‌ରେ ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଯେହେତୁ ଏହି ପ୍ରସଙ୍ଗ ସମସ୍ତ ରାଜ୍ୟ ସହିତ ଜଡ଼ିତ, ତେଣୁ ସେ ଏସମ୍ପର୍କରେ ସମସ୍ତ ରାଜ୍ୟଗୁଡ଼ିକଠାରୁ ମତ ସଂଗ୍ରହ କରିବାକୁ ଚିଠି କରିଥିବା କହିଥିଲେ। ଏପରି କି ବୁଧବାର ହୋଇଥିବା ଶୁଣାଣି ସମୟରେ ଆସାମ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନ ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରସଙ୍ଗକୁ ବିରୋଧ କରିଥିବାବେଳେ ଆଉ ୪ଟି ରାଜ୍ୟ ଏସମ୍ପର୍କରେ ମତ ଦେବା ନେଇ ଅଧିକ ସମୟ ଲୋଡ଼ିଛନ୍ତି। ତେବେ ଓଡ଼ିଶାଠାରୁ ଏସମ୍ପର୍କରେ କୌଣସି ମତ ମିଳି ନ ଥିବା ସଲିସିଟର ଜେନେରାଲ୍‌ ସତ୍ୟପାଠ ମାଧ୍ୟମରେ କୋର୍ଟରେ ଜଣାଇଥିଲେ। ଅପରପକ୍ଷରେ ବିଜେଡି ରାଜ୍ୟ ସଭା ସଦସ୍ୟ ତଥା ଆଇନଜୀବୀ ସସ୍ମିତ ପାତ୍ର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ୨ଟି ସଂଗଠନ ପକ୍ଷରୁ ମାମଲା ଲଢ଼ୁଛନ୍ତି। ବୁଧବାର ଶୁଣାଣି ସମୟରେ ସସ୍ମିତ ସମଲିଙ୍ଗୀ ବିବାହ ସ୍ବୀକୃତି ପ୍ରସଙ୍ଗକୁ ପାର୍ଲାମେଣ୍ଟକୁ ପଠାଇବା ସପକ୍ଷରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ପର୍ସନାଲ୍‌ ଲ’କୁ ଛାଡ଼ି ସମଲିଙ୍ଗୀ ବିବାହ ସମ୍ପର୍କରେ କୌଣସି ଆଲୋଚନା କରିବା ଉଚିତ ହେବ ନାହିଁ। ଧରାଯାଉ କୋର୍ଟ ଏନେଇ ଘୋଷଣା କରିଦେଲେ, ତେବେ ଏହାକୁ କାର୍ଯ୍ୟକାରୀ କିପରି କରାଯିବ। ଯେହେତୁ ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟରେ କିଛି ଆଲୋଚନା ହୋଇ ନାହିଁ, କୋର୍ଟ ଘୋଷଣା କରିଦେବାପରେ ତାହା ପାର୍ଲାମେଣ୍ଟରେ ଆଇନରେ ସହଜରେ ପରିଣତ ହୋଇପାରିବ ନାହିଁ ବୋଲି ପାତ୍ର କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ୧୫ମିନିଟ ଧରି ଆଲୋଚନା ହୋଇଥିଲା। ଏହି ସମୟରେ ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ୮ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଶେଷ କରିବାକୁ ନବୀନ ଅନୁରୋଧ କରିଥିଲେ। ଏପରି କି ୩୯୫୪ ଗ୍ରାମପଞ୍ଚାୟତରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଉଦ୍ୟମୀ ଯୋଜନାରେ ଭାରତ ନେଟ ଫେଜ୍‌ -୨ ଜରିଆରେ ପ୍ରତି ଗ୍ରାମପଞ୍ଚାୟତରେ ୫ଟି ମାଗଣା ସଂଯୋଗ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ତେବେ ୨୦୨୪ରେ ରାଜନୈତିକ ଆଲିଆନ୍ସ ନେଇ କୌଣସି ଆଲୋଚନା ହୋଇ ନାହିଁ। ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।

Share