ଭୁବନେଶ୍ୱର,୬।୯(ଅନିଲ ଦାସ):ଏ ଦେଶ ଆମର, ଏ ମାଟି ଆମର। ଏହି ଭାବନା ନେଇ ଭାରତ ତଥା ପ୍ରିୟ ଓଡ଼ିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି। ଗୁରୁବାର ଶଙ୍ଖ ଭବନଠାରେ ବିଜେଡି ସଂଖ୍ୟାଲଘୁ କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଶାନ୍ତି ଓ ସଦ୍ଭାବନା ହିଁ ପ୍ରଗତିର ଭିତ୍ତି। ଏଥିଯୋଗୁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳର ସଂଖ୍ୟାଲଘୁ ଭଉଣୀ ଓ ଭାଇମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି। ବିଜେଡି ୱକଫ୍ ବିଲ୍କୁ ବିରୋଧ କରିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦେଶର ପ୍ରଗତିରେ ସଂଖ୍ୟାଲଘୁଙ୍କ ଅବଦାନକୁ ସ୍ମରଣ କରି ନବୀନ କହିଛନ୍ତି, ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ବୌଦ୍ଧ, ଶିଖ୍, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧି ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ସଭା ସଦସ୍ୟ ମୁନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।