ନବୀନ ପୁଣି ନମ୍ବର ଓ୍ବାନ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍‌ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍‌କା ମୁଡ୍‌ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେ ଅନୁଯାୟୀ ନବୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦ୍ୱିତୀୟ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତୃତୀୟ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଚତୁର୍ଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଞ୍ଚମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଷଷ୍ଠ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସପ୍ତମ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ବାନ ଅଷ୍ଟମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବାନ୍ତ ନବମ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦଶମ ସ୍ଥାନରେ ରହିଛନ୍ତି।
କୋଭିଡ୍‌ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଓ ଜୀବନ ବଞ୍ଚାଇବା କ୍ଷେତ୍ରରେ ଲୋକମାନେ ନବୀନଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ଯେତେବେଳେ ରାଜ୍ୟର ଅର୍ଥନୀତି ଦୁର୍ବଳ ହୋଇପଡିଥିଲା, ସେତେବେଳେ ମଧ୍ୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିଛନ୍ତି। ଯେତେବେଳେ ଲୋକମାନେ ଜୀବନ ଜୀବିକା ହରାଇଛନ୍ତି ସେତେବେଳେ ନବୀନଙ୍କୁ ଭରସା କରିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବା ସହ ଦୁର୍ନୀତି ବିରୋଧୀ ଛବି ନବୀନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ କରିଛି। ପୂର୍ବରୁ ନବୀନ ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ବି ତାଙ୍କ ଛବି ଅମଳିନ ରହିଛି।

Share