ନବୀନ ପୁଣି ଥରେ ସର୍ବୋତ୍ତମ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୧: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ପୁଣି ଥରେ ଏକ ନମ୍ବର ହୋଇଛନ୍ତି। ରାଜ୍ୟ ସ୍ତରରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ ବୋଲି ଏକ ସର୍ଭେ ସଂସ୍ଥା କହିଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌-କାର୍ଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌ ଦି ନେଶନ୍‌ର ୨୦୨୧ ଜାନୁୟାରୀ ଜନମତ ସର୍ଭେରେ ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ମୂଲ୍ୟାୟନ କରିବାକୁ କୁହାଯାଇଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପଛରେ ପକାଇ ନବୀନ ନମ୍ବର ଓ୍ବାନ୍‌ ହୋଇଛନ୍ତି। ଓଡ଼ିଶାର ୫୧ ପ୍ରତିଶତ ଲୋକ ନବୀନଙ୍କୁ ପଜିଟିଭ୍‌ ରେଟିଂ ଦେଇଥିଲେ। କେଜ୍‌ରିଓ୍ବାଲଙ୍କ ସପକ୍ଷରେ ୪୧%, ଯୋଗୀଙ୍କୁ ୩୯% ଏବଂ ଉଦ୍ଧବ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ମିଳିତ ଭାବେ ୩୫ ପ୍ରତିଶତ ରେଟିଂ ମିଳିଛି।
ନବୀନ ସବୁବେଳେ ଜାତୀୟ ରାଜନୀତିଠାରୁ ନିଜକୁ ଦୂରେଇ ରଖି ରାଜ୍ୟ ଉପରେ ଫୋକସ୍‌ କରିଥାନ୍ତି। ଓଡ଼ିଶାରେ ତାଙ୍କର ଦୁଇଦଶନ୍ଧିର ଶାସନ କାଳରେ ଭାଜପା ଓ କଂଗ୍ରେସକୁ କ୍ଷମତାଠାରୁ ଦୂରେଇ ରଖିବା ସହ ବିଜେଡିକୁ ସଫଳ କରାଇ ଆସିଛନ୍ତି। ଏହା ସତ୍ତ୍ୱେ ଜାତୀୟ ରାଜନୀତରେ ତାଙ୍କର ପ୍ରଭାବ ରହିଛି।

ସୂଚନାଯୋଗ୍ୟ ନିକଟରେ ହୋଇଥିବା ଏବିପି-ସି ଭୋଟର ସର୍ଭେରେ ନବୀନ ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଇ ନମ୍ବର ସ୍ଥାନରେ ଥିଲାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ଥିଲେ। ସେହିପରି ୪ ନମ୍ବର ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଓ ୫ ନମ୍ବରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରହିଥିଲେ। ପୁନର୍ବାର ଆଉ ଏକ ସର୍ଭେରେ ନବୀନ ଏକ ନମ୍ବର ସ୍ଥାନରେ ରହିବା ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଲଗାତର କୋଡିଏ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହିଥିବା ନବୀନଙ୍କର ଏବେ ପଞ୍ଚମ ପାଳି ସରକାର ଚାଲିଛି। ତାଙ୍କ ଲୋକପ୍ରିୟତାକୁ ଏହି ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସର୍ଭେ ପ୍ରମାଣିତ କରିଛି।

Share