ନବୀନ ପୁଣି ୧ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ୫ ଥର ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଛବି ଅମଳିନ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୁଣିଥରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ସର୍ଭେରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ବଜାୟ ରଖିଛନ୍ତି । ସର୍ଭେରେ ମୋଟ୍‌ ୩୭୬୦ ଜଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେଥିରେ ନବୀନ ରାଜ୍ୟରେ ୬୧.୩ ପ୍ରତିଶତ ସମର୍ଥନ ପାଇ ୧ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୦୦ରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଭାବେ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ ଯୋଗାଇ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି। ସ୍ବାସ୍ଥ୍ୟସେବା, ଶିକ୍ଷା, କୃଷି, କ୍ରୀଡ଼ା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରି ନବୀନ ରାଜ୍ୟବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ମୋ ସରକାର, ୫-ଟି ରୂପାନ୍ତରଣ ଜରିଆରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ନବୀନ ସଫଳ ହୋଇଛନ୍ତି। ତେବେ ଗତବର୍ଷ ସର୍ଭେରେ ନବୀନଙ୍କୁ ୭୮ ପ୍ରତିଶତ ସମର୍ଥନ ମିଳିଥିବା ବେଳେ ଚଳିତ ସର୍ଭେରେ ଏହା ୬୧.୩ ପ୍ରତିଶତକୁ ଖସି ଆସିଥିବା ରିପୋର୍ଟରେ କୁହାଯାଇଛି।

Share