ଓଡ଼ିଆ ଅସ୍ମିତାକୁ ନେଇ ଏମିତି ଟୁଇଟ୍‌ କରିଥିଲେ ନବୀନ, ଜବାବ ଦେଇ ରୋକଠୋକ ଶୁଣାଇଦେଲେ ଜୟନାରାୟଣ

ଭୁବନେଶ୍ୱର,୧୧।୯: ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ନବୀନ ମଙ୍ଗଳବାର ଟୁଇଟ୍‌ କରି ଓଡ଼ିଆ ଅସ୍ମିତା ବିଷୟରେ କହିଥିଲେ। ଯାହାକୁ ଜୟନାରାୟଣ କାଉଣ୍ଟର କରିଛନ୍ତି। ନବୀନଙ୍କୁ ଜବାବ ଦେଇ ଜୟନାରାୟଣ କହିଛନ୍ତି, ଇତିହାସକୁ ଠିକ୍‌ କରିବା କାମରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ସଙ୍କଳ୍ପବଦ୍ଧ। ଆଜି ଯେଉଁ ମହାପୁରୁଷମାନଙ୍କର ଉଦାହରଣ ନେଇ ଆପଣ କଥାଟି ଲେଖିଛନ୍ତି, ସେ ମହାପୁରୁଷମାନଙ୍କ ପ୍ରତି ଆପଣଙ୍କ ସରକାର କେତେ ଯଥୋଚିତ ସମ୍ମାନ ଦେଇଥିଲା, ଆପଣ ଥରେ ନିଜକୁ ପଚାରନ୍ତୁ।

ଆମ ମହାପୁରୁଷମାନଙ୍କଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ାଜ୍ୟବାସୀ ଦେଖିଛନ୍ତି। ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି। ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍‌ ଭାବେ ଜବାବ ଦେଇଛନ୍ତି।

ନବୀନ ଟୁଇଟ୍‌ରେ ଲେଖିଥିଲେ, ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ? କଥାରେ କୋଣାର୍କ ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।

ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।

Share