ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ ଯାଉ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ଖ୍ରୀଷ୍ଟିଆନ୍‌ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଯୋଗଦେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଖୁସିର ବିଷୟ ୨୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପ୍ରସଙ୍ଗରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ୨୪ବର୍ଷ ମଧ୍ୟରେ ଘଟିଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଓ ବଲାଙ୍ଗୀର ଗୁଳିମାଡ଼ ଘଟଣାରେ ଯେଉଁ କମିଶନ ଗଠନ କରାଯାଇଥିଲା, ତାହାର ରିପୋର୍ଟ ପୂର୍ବ ସରକାର ଏପର୍ଯ୍ୟନ୍ତ କେଉଁ କାରଣରୁ ସାର୍ବଜନୀନ କରିନାହାନ୍ତି, ତାହାର ଉତ୍ତର ରଖନ୍ତୁ। ନବୀନ ପଟ୍ଟନାୟକ ଏଭଳି ଘଟଣାରେ ପରାମର୍ଶ ଦେବା ଆଦୌ ଶୋଭାପାଉ ନାହିଁ। ପୂର୍ବ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିପାରିନାହିଁ। ପୂର୍ବ ସରକାର ଏଭଳି ଭାବେ ସମସ୍ତ କାର୍ଯ୍ୟକୁ ଦୁର୍ବଳ କରି ରଖିଥିଲା ଯେଉଁଥି ପାଇଁ ଏବେ ଏଭଳି ଘଟଣା ଘଟିଛି। ବର୍ତ୍ତମାନର ଭାଜପା ସରକାର ଦୁର୍ବଳ ହୋଇଯାଇଥିବା ସମସ୍ତ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବ ବୋଲି ସିଂଦେଓ କହିଛନ୍ତି।

Share