ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଘର ମରାମତି ନେଇ ସହାୟତା ଦେବେ ରାଜ୍ୟ ସରକାର। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଏବଂ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇବାକୁ ଥିବା ଲୋକଙ୍କୁ ଘର ମରାମତି ଲାଗି ୩ ହଜାର ଟଙ୍କା ମିଳିବ। ଏହାଛଡ଼ା କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ଲାଗି ୫ ହଜାର ଟଙ୍କା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଘରର ଛୋଟ ଛୋଟ ମରାମତି ଏପରିକି ଘରେ ଚୂନ ଦେବାରେ ଅସୁବିଧା ହେଉଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ।
ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫ ହଜାର ଟଙ୍କା ଦିଆଯିବ । ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।