ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୫।୬: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବୀନ ନିବାସରୁ ବାହାରି ରାଜଭବନ ବାହାରିଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି।
ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇବା ଓଡ଼ିଶାରେ ପଦ୍ମର ସୁଅ ବହିଛି।
ସେହିଭଳି ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ସିଟ୍‌ ଜିତିଛି। ୨୦୧୯ ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୧ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

 

Share