ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…

ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ ମନେ ପକାଉଛି । ଏଥିସହ ତାଙ୍କ ପ୍ରଶଂସାରେ କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ଇତିମଧ୍ୟରେ ଦେଖିବାକୁ ମିଳିଛି କି, କିଛିଲୋକ ତାଙ୍କ ଅଭିନୀତ ଏକ ସିନେମାକୁ ମଧ୍ୟ ମନେ ପକାଇଛନ୍ତି। ତେବେ ଅଧିକାଂଶ ଓଡ଼ିଶାବାସୀ ଜାଣି ନ ଥିବେ ଯେ, ନବୀନ ପଟ୍ଟନାୟକ ଏକ ହଲିଉଡ ସିନେମାରେ ଅଭିନୟ ମଧ୍ୟ କରିଛନ୍ତି। ୧୯୮୮ ମସିହାରେ ରିଲିଜ ହୋଇଥିବା ଏକ ହଲିଉଡ ସିନେମାରେ ଅଭିନୟ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଦ ଡିସିଭର୍ସ (The Deceivers)’ ନାମକ ଏହି ହଲିଉଡ ଫିଲ୍ମରେ ନବୀନ ପଟ୍ଟନାୟକଙ୍କ ଅଭିନୟର ଜଲୱା ଦେଖିବାକୁ ମିଳିଥିଲା। ଓଡ଼ିଶା ତଥା ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପରିଚୟ ପାଇଥିବା ନବୀନ ପଟ୍ଟନାୟକ ଏହି ସିନେମାରେ ଖୁବ କମ ସମୟ ପାଇଁ ପରଦାରେ ନଜର ଆସିଥିଲେ।

ଏହି ସିନେମାର ଏକ ଦୃଶ୍ୟରେ ସେ ଜଣେ ସୈନ୍ୟ/ସେବକ ଚରିତ୍ରରେ ଠିଆ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧାରିତ ‘ନବୀନ ପଟ୍ଟନାୟକ’ ପୁସ୍ତକରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି। ତେବେ କେଉଁ ଦୃଶ୍ୟରେ ନବୀନ ପଟ୍ଟନାୟକ ସିନେମାରେ ଅଭିନୟ କରିଥିଲେ, ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ। ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ଓ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ନିଜ ଶାସନ କାଳରେ ଓଡ଼ଶାରେ ବିଭିନ୍ନ ବିକାଶଭିମୁଖୀ କାର୍ଯ୍ୟ କରିବା ସହ ଅନେକ ସଫଳତା ମଧ୍ୟ ଆଣି ଦେଇଛନ୍ତି। ହେଲେ ୨୦୨୪ ନିର୍ବାଚନରେ ଜନତାଙ୍କ ମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଲା ନାହିଁ। ଦଳ ଶୋଚନୀୟ ଭାବେ ହାରିବା ପରେ ନବୀନ ନିଜର ଇସ୍ତଫା ଦେଇଛନ୍ତି। ଏହାପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ପ୍ରଶଂସା କରିବା ସହ ତାଙ୍କ କାର୍ଯ୍ୟକୁ ମନେ ପକାଇ କୃତଜ୍ଞତା ଜଣାଇବାରେ ଲାଗିଛନ୍ତି।

Share