ରାଜ୍ୟ ସଭାରେ ଘେରିବ ବିଜେଡି, ନବୀନଙ୍କ ସ୍ବତନ୍ତ୍ର ରଣନୀତି

ଭୁବନେଶ୍ୱର,୧୯।୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି। ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ରାଜ୍ୟର ସ୍ବାର୍ଥ ପାଇଁ କେଉଁ ପ୍ରଶ୍ନ ଉଠାଯିବ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି।

ସବୁବେଳେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି । ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ୟ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ । ରାଜ୍ୟ ସଭା ଏମପିଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ୟ ସଭା ସାଂସଦ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଏମପିଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ୟ ସଭା ସଂସଦୀୟ ଦଳ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା, ଆଦିବାସୀ କଲ୍ୟାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ସଂସଦରେ ସ୍ବର ଉଠେଇବ ବୋଲି ସସ୍ମିତ ପାତ୍ର ଓ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି। ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇବ ଦଳ । ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ଏମପିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।

Share