କାହିଁକି ହାରିଲା ବିଜେଡି, ଖୋଲାଖୋଲି କହିଲେ ନବୀନ

ଭୁବନେଶ୍ୱର,୨୦।୬: ବିରୋଧୀ ଦଳର ନେତା ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା , ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି । ତେବେ ବୈଠକ ପରେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଣମାଧ୍ୟମରେ ଦଳ ବିପର୍ଯ୍ୟୟ ସମୀକ୍ଷା କରିଛନ୍ତିି ।

ସେ କହିଛନ୍ତି, ଭାଜପା ସାରା ଦେଶରେ ଖରାପ ପ୍ରଦର୍ଶନ କଲା। କିନ୍ତୁ ଏଠାରେ ଏତେ ସଫଳତା ପାଇଲା। ଆମେ ଲୋକ ସଭାରେ ମୂଳପୋଛ ହୋଇଗଲୁ। ଆମ ଦଳର ରଣନୀତି ଭୁଲ୍‌ ହୋଇଗଲା। ଆମେ ଭାଜପାକୁ ବିଶ୍ୱାସକୁ ନେବାର ନ ଥିଲା। ଆଞ୍ଚଳିକ ଦଳ ଭାବେ କେନ୍ଦ୍ର ବିରୋଧରେ ହକ୍‌ ପାଇଁ ସ୍ବର ଉତ୍ତୋଳନ କରିବା କଥା। କିନ୍ତୁ ସେଥିରେ ଆମେ ସେତେଟା ସଫଳ ହୋଇପାରିଲୁ ନାହିଁ। ପରାଜୟର ସମୀକ୍ଷା ହେବା ଆବଶ୍ୟକ। ଏହାସହ ଦଳ ଯେମିତି ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ ହେଉ।

କିନ୍ତୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ଚଳିତ ନିର୍ବାଚନରେ ଭୁଲ୍‌ ରଣନୀତିକୁ ସ୍ବୀକାର କରି ନ ଥିଲେ। ସେ କହିଥିଲେ, ୨୦୧୪ରେ ଯେତେବେଳେ ସାରା ଦେଶରେ ମୋଦି ଲହର ଥିଲା ଆମେ ୨୦ଟି ଆସନ ଜିତିଥିଲୁ। କିନ୍ତୁ ଏଥର ମୋଦି ଲହର ବିଳମ୍ବରେ ହେଲେ ମଧ୍ୟ ପ୍ରଭାବୀ ହେଲା। ତେବେ ରାଜନୀତିରେ ଏପରି ବେଳେବେଳେ ହୁଏ। ଏସବୁର ସମୀକ୍ଷା କରି ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ଜରୁରୀ।

Share