Categories: ଖେଳ

୨୪ ବର୍ଷରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଆଫଗାନିସ୍ତାନର ୨୪ ବର୍ଷୀୟ ବୋଲର ନବୀନ-ଉଲ-ହକ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ୱକପ୍‌ ତାଙ୍କର ଦିନିକିଆ କ୍ରିକେଟରେ ଅନ୍ତିମ ଟୁର୍ନାମେଣ୍ଟ ହେବ। ଦୁଇ ବର୍ଷ ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେ। ଏବେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥିଲା। ଏବେ ସେ ହଠାତ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି।

ତେବେ ଦିନିକିଆରେ ସେତେଟା ପ୍ରଭାବୀ ପ୍ରଦର୍ଶନ ନ ଥିଲେ ହେଁ ନବୀନ-ଉଲ-ହକ୍‌ ଟି୨୦ରେ ଦଳ ଲାଗି ଜଣେ ମହତ୍ୱପୂର୍ଣ୍ଣ ଖେଳାଳି। ସେ କେବଳ ୭ ଦିନିକିଆ ମ୍ୟାଚ୍‌ ଖେଳି ୧୪ ଉଇକେଟ ନେଇଛନ୍ତି। ହେଲେ ୨୦୧୬ରେ ଟି୨୦ରେ ଡେବ୍ୟୁ କରି ସେ ୨୭ ମ୍ୟାଚ୍‌ରେ ୩୪ ଉଇକେଟ ନେଇଛନ୍ତି। ନିଜର ପ୍ରଦର୍ଶନକୁ ନେଇ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରାଯାଇଛି।

ପ୍ରକାଶ ଯେ, ଆଇପିଏଲ ୨୦୨୩ର ଏକ ମ୍ୟାଚ୍‌ରେ ନବୀନ-ଉଲ-ହକ ବିରାଟଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ମ୍ୟାଚ୍‌ ପରେ ଉଭୟ ମୁହାଁମୁହିଁ ହୋଇଥିବା ବେଳେ ମଝିରେ ଗୌତମ ଗମ୍ଭୀର ଆସି ସେମାନଙ୍କୁ ବୁଝାଇଥିଲେ। ଏହି ଦୁହିଁଙ୍କ ମଇଦାନରେ ଶତ୍ରୁତା ଆଚରଣ ଆଇପିଏଲ୍‌ ସମୟରେ ବେଶ ଚର୍ଚ୍ଚାରେ ରହିଥିଲା।

Share