ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି ନବୀନ: ଭାଜପା

ଭୁବନେଶ୍ୱର,୧୫।୮(ସୁନିତ୍‌ ମିଶ୍ର): ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ରହି ନବୀନବାବୁ ଓଡ଼ିଆ ଓ ରାଜ୍ୟବାସୀଙ୍କ ସହ ଖେଳ ଖେଳିଆସିଲେ। ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ାଇଲେ। ବର୍ତ୍ତମାନ ବିଜେଡି ଓଡ଼ିଆ ଅସ୍ମିତା ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ। ସରକାରରେ ଥିଲାବେଳେ ନବୀନବାବୁ ରାଜ୍ୟରେ ଯାବତୀୟ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରିଆସୁଥିଲେ। ଏବେ ମଧ୍ୟ ବିରୋଧୀ ଦଳରେ ରହି ମୁଖପାତ୍ରମାନଙ୍କୁ ମାଧ୍ୟମକରି ସମାନ ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲୀପ ମଲିକ କହିଛନ୍ତି।
ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଦିଲୀପ କହିଛନ୍ତି, ଦିଲ୍ଲୀରେ ରାହୁଲ ଗାନ୍ଧୀ ଯାହା କହୁଛନ୍ତି ଏଠି ନବୀନବାବୁ ତାହାକୁ ଅନୁକରଣ କରୁଛନ୍ତି। ରାହୁଲ ଦେଶରେ ଓ ନବୀନବାବୁ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ରାଜ୍ୟବାସୀ ସଫଳ କରିବାକୁ ଦେବେ ନାହିଁ। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଓଡ଼ିଶା ଶାସନର ଦାୟିତ୍ୱରେ ଥିଲେ ମଧ୍ୟ ଓଡ଼ିଆ ଶିଖିଲେ ନାହିଁ। ସେ ବର୍ତ୍ତମାନ ମଧ୍ୟ ଓଡ଼ିଆ ବୁଝିଲେ ନାହିଁ କି ଓଡ଼ିଆ କହିଲେ ନାହିଁ। ସବୁବେଳେ ସେ ଓ ତାଙ୍କ ଦଳର ଅନେକ ନେତା ଖଣ୍ଡି(କଦର୍ଥ କରି) ଓଡ଼ିଆ କହି ରାଜ୍ୟବାସୀଙ୍କୁ ଉପହାସ କରିଆସୁଥିଲେ। ଏହାଦ୍ୱାରା ଏବେ ସେମାନଙ୍କୁ ଶୁଦ୍ଧ ଓଡ଼ିଆ ଭଲ ଲାଗୁ ନାହିଁ ବା ଶୁଦ୍ଧ ଓଡ଼ିଆ ସେମାନେ ଶୁଣିପାରୁନାହାନ୍ତି। ନିଜ ଦୋଷ ଘୋଡ଼ାଇବା ପାଇଁ ଉପରଠାଉରିଆ ଭାଜପାକୁ ସମାଲୋଚନା କରୁଛନ୍ତି। ଆଉ ଏକ ଉଦାହରଣ ଓଡ଼ିଆ କହିପାରୁ ନ ଥିବା କାରଣରୁ ଏବେ ବିରୋଧୀ ଦଳ ନେତା ନବୀନବାବୁ ବିଧାନସଭାକୁ ଆସିବାକୁ ମଧ୍ୟ ଡରୁଛନ୍ତି। ବିଜେଡି ଜାଣିବା ଦରକାର, ଗଣତନ୍ତ୍ର ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବିକାଶ ହୋଇଥାଏ। ଆମେ ପ୍ରଥମରୁ କହିଥିଲୁ ‘ଡବଲ ଇଞ୍ଜିନ ସରକାର’ ପ୍ରତିଷ୍ଠା ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ। ଆଜି ତାହା ହେବାକୁ ଆରମ୍ଭ କରିଛି। ବିଜେଡି ବର୍ତ୍ତମାନ ଛୋଟ ଛୋଟ କଥାରେ ମିଥ୍ୟାର ଆଶ୍ରୟ ନେଇ ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଦିଲୀପ କହିଛନ୍ତି।

Share