ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ ଲୋକ ସଭାକୁ ନେଇ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଭିନ୍ନ ଭିନ୍ନ ମତ ଦେଇଥିବାବେଳେ ଲୋକ ସଭାରେ ଭାଜପା ଅଧାରୁ ଅଧିକ ଆସନ ପାଇପାରେ ବୋଲି ଆକଳନ କରିଛନ୍ତି। ସେହିପରି ବିଜେଡି ଆଶାନୁସାରେ ବହୁତ କମ୍‌ ଭୋଟ ମିଳିବ ବୋଲି କୁହାଯାଉଛି।

ଏହି କ୍ରମରେ ଲୋକସଭା ଆସନ ପାଇଁ ବୁଥ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ଆସିଛି । ତେବେ ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଶହେରୁ ଅଧିକ ଆସନ ହାତେଇବା ନେଇ ଆକଳନ କରିଛି ।

ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ଭାଜପାକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ ସଙ୍କେତ ଦେଇଛି । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ଅନୁମାନ ହୋଇଛି । ସେହିଭଳି ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ୧ରୁ ୨ ଆସନ ମିଳିପାରେ ବୋଲି ସର୍ଭେ କହିଛି ।

ଅନ୍ୟପଟେ ଜନ କି ବାତ ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡିକୁ ବହୁମତ ମିଳୁଥିଲେ ମଧ୍ୟ ଗତବର୍ଷ ତୁଳନାରେ ୩୦ରୁ ଅଧିକ ଆସନ ହରାଇପାରେ । ଏହି ସର୍ଭେରେ ବିଜେଡିକୁ ୮୧, ଭାଜପାକୁ ୫୮ ଓ କଂଗ୍ରେସକୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟୁଡେ-ଆକ୍ସିସ ବାଇଁ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରେ ଉଭୟ ବିଜେଡି ଓ ଭାଜପାକୁ ୬୨ରୁ ୮୦ ଲେଖାଏଁ ଆସନ ମିଳୁଥିବାବେଳେ କଂଗ୍ରେସ ଖାତାରେ ୫ରୁ ୮ ଆସନ ଯାଇପାରେ।

Share