ଗଙ୍ଗଓ୍ବାରଙ୍କୁ ଚିଠି ଲେଖିଲେ ନବୀନ : ଇପିଏଫ୍‌ ପେନ୍‌ସନ ପୁନଃ ନିର୍ଦ୍ଧାରଣ କରାଯାଉ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପେନ୍‌ସନ ଉପଭୋକ୍ତାଙ୍କ ସର୍ବନିମ୍ନ ପେନ୍‌ସନ ପୁନଃ ନିର୍ଦ୍ଧାରଣ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତ, ଓଡ଼ିଶାରେ ୧.୬୨ ଲକ୍ଷ ଇପିଏଫ୍‌ ପେନ୍‌ସନ ଉପଭୋକ୍ତା ଅଛନ୍ତି। ମାସିକ ସ୍ବଳ୍ପ ପେନ୍‌ସନ ପାଉଥିବାରୁ ପରିଣତ ବୟସରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇପିଏସ୍‌-୯୫ ପେନ୍‌ସନ ଉପଭୋକ୍ତା ସଂଘଗୁଡିକ ପକ୍ଷରୁ ସର୍ବନିମ୍ନ ପେନ୍‌ସନ ପୁନଃ ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ସହ ଏ ନେଇ ରାଜ୍ୟ ସରକାରଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରିଛନ୍ତି। ଇପିଏସ୍‌-୯୫ ପେନ୍‌ସନ ଉପଭୋକ୍ତାଙ୍କ ପେନ୍‌ସନ ବୃଦ୍ଧି କରିବାକୁ ୨୦୧୩ରେ ରାଜ୍ୟ ସଭା ସଦସ୍ୟ ଭଗବତ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପିଟିଶନ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲା। ତାହା ଏବେ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
ଯୁବା ବୟସରେ ଦେଶ ଗଠନରେ ପେନ୍‌ସନ ଉପଭୋକ୍ତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ ଦାବିକୁ ସହୃଦୟତାର ସହ ବିଚାର କରିବା ଆବଶ୍ୟକ। ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଦେଶର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଇପିଏଫ୍‌ ପେନ୍‌ସନ ଉପଭୋକ୍ତାଙ୍କର ଯଥାର୍ଥ ଦାବିକୁ ଦୃଷ୍ଟରେ ରଖି ପେନ୍‌ସନ ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ। ଦେଶର ସମସ୍ତ ପେନ୍‌ସନ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଗଙ୍ଗଓ୍ବାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

Share