Advertisement

ଖାଦ୍ୟ କିଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ନବୀନ, ହଠାତ୍‌ ହୋଇଥିଲା ବୋମାମାଡ଼

କ୍ୱିଭ୍‌,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ଲାଗି ଗୋଟିଏ ପଟେ ଭାରତ ସରକାର ଅଭିଯାନ ଜାରି ରଖିଥିବା ବେଳେ ଆସିଛି ଦୁଃଖଦ ଖବର। ଖାର୍କିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା(୨୧)ଙ୍କ ମୃତ୍ୟୁ ଘଟିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେ କର୍ନାଟକର ହାବେରି ଅଞ୍ଚଳର ଥିବା ବେଳେ ଡାକ୍ତରୀ ଶିକ୍ଷା ପାଇଁ ୟୁକ୍ରେନ ଯାଇଥିଲେ। ତେବେ ମଙ୍ଗଳବାର ଖାଦ୍ୟ ଆଣିବା ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ବୋମାମାଡ଼ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ଯୁଦ୍ଧ ପରିସ୍ଥିତିକୁ ନେଇ ପରିବାରଲୋକଙ୍କ ସହ ଦିନକୁ ଦୁଇରୁ ତିନି ଥର କଥା ହେଉଥିଲେ ନବୀନ। ସକାଳେ ରହୁଥିବା ବଙ୍କରରେ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଥିବା କଥା ସେ ବାପା ଶେଖର ଗୌଡ଼ାଙ୍କୁ ଜଣାଇଥିଲେ। ଶେଷରେ ସେ ଗଭର୍ଣ୍ଣର ହାଉସ୍‌ ନିକଟରେ ଥିବା ସୁପର ମାର୍କେଟରୁ ଖାଦ୍ୟ କିଣିବାକୁ ଯାଇ ଧାଡ଼ିରେ ଛିଡ଼ା ହୋଇଥିଲେ। ସେହି ସମୟରେ ହଠାତ୍‌ ବୋମାମାଡ଼ ହେବାରୁ ସେ ଜୀବନ ହରାଇଲେ ବୋଲି ତାଙ୍କ ବନ୍ଧୁମାନେ ସ୍ପଷ୍ଟ କରିଛନ୍ତି। ତେବେ ନବୀନଙ୍କ ମରଶରୀର ଏବେ ଶବାଗାରରେ ରଖାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share