ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ମଇଦାନରେ ହେବ ଷ୍ଟାର ଟକ୍କର!

ଭୁବନେଶ୍ୱର,୧୨।୪: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନରେ ହ୍ରାଟିକ ବିଜୟକୁ ଲକ୍ଷ୍ୟ କରି ମାଷ୍ଟର୍‌ ପ୍ଲାନ କରୁଛି ବିଜେଡି । ଗତ ନିର୍ବାଚନରେ ଦଳର ଷ୍ଟାର୍‌ ପ୍ରଚାରକ ସାଜିଥିବା ଏମପି ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ଭଳି ଜଣାଶୁଣା ଅଭିନେତା ଏଥର ବିଜେଡି ଛାଡ଼ି ଭାଜପା କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଶୁକ୍ରବାର ନବୀନ ନିବାସରେ ଓଲିଉଡ ଷ୍ଟାରଙ୍କ ଗହଳି ଜମିଛି । ଅଭିନେତା ବାବୁସାନ ମହାନ୍ତିଙ୍କ ସମେତ ଭେଟେରାନ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଲାନ ମହାନ୍ତିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ଏନେଇ ନାନା ଆକଳନ କରିବା ଆରମ୍ଭ କରିଛନ୍ତି ରାଜନୈତିକ ମହଲ । ଏହି ଅଭିନେତାମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓ ୫ଟି ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଛନ୍ତି । ଯାହା ରାଜ୍ୟ ରାଜନୀତି ମହଲକୁ ଖୁବ୍‌ ସରଗରମ କରିଛି।

ବାବୁସାନଙ୍କ ସହ ସ୍ବରାଜ, ଭୂମିକା, ସୁପ୍ରିୟା, ଅମ୍ଳାନଙ୍କ ଭଳି ଆଗ ଧାଡ଼ିର ଅଭିନେତା, ଅଭିନେତ୍ରୀଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି । ତାଙ୍କ ସହ ଯୁବ ଅଭିନେତା ସ୍ବରାଜ, ଭୂମିକା, ସୁପ୍ରିୟା ଏବଂ ହାସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର ଏବଂ ପପୁ ପମପମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହାସହ ଧାରାବାହିକ ଅଭିନେତା ଅଭିନେତ୍ରୀ ଲିପ୍ସା, ଦେବାଶିଷ, ଗୁଡୁଙ୍କ ଭଳି ଆଗ ଧାଡ଼ିର ଅଭିନେତା ଅଭିନେତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ।

ନବୀନ ନିବାସରେ ଫେରିବା ପରେ ସେମାନେ କହିଛନ୍ତି, ରାଜ୍ୟ ସରକାରଙ୍କ ଆଗାମୀ ୧୦ ବର୍ଷର ଭିଜନ ନେଇ ଆଲୋଚନା ହୋଇଛି। ଓଲିଉଡକୁ ନେଇ ସରକାରଙ୍କ କଣ ଆଭିମୁଖ୍ୟ ରହିଛି ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ୫ଟି ଅଧ୍ୟକ୍ଷ ମଧ୍ୟ ସବୁ କଳାକାରଙ୍କ ଫିଡବ୍ୟାକ ନେଇଛନ୍ତି । ଏଥିସହ ରାଜନୈତିକ କାର୍ଯ୍ୟକଳାପ ନେଇ କୌଣସି ଆଲୋଚନା ହୋଇ ନ ଥିବା କଳାକାରମାନେ କହିଛନ୍ତି । କିନ୍ତୁ ଚର୍ଚ୍ଚା ହେଉଛି କି, ଏହି ବଡ଼ବଡ଼ ଷ୍ଟାର୍‌ ଙ୍କୁ ଷ୍ଟାର ପ୍ରଚାରକ ଭାବେ ବିଜେଡି ଘୋଷଣା କରିପାରେ ।

୨୦୨୪ ନିର୍ବାଚନରେ ଏମପି ତଥା ଓଲିଉଡ ସୁପରଷ୍ଟାର୍‌ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଆକାଶଦାସ ନାୟକ, ଅରିନ୍ଦମ ରାୟ ଭାଜପାରେ ଯୋଗ ଦେଇଛନ୍ତି । ତେଣୁ କୁହାଯାଉଛି କି ଏହିସବୁ ଷ୍ଟାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ । ତେବେ ଏହି ସବୁ ଆକଳନରେ ସତ୍ୟତା ନାହିଁ ବୋଲି କହିଛନ୍ତି ଓଲିଉଡ ଷ୍ଟାର୍‌ । ସେପଟେ କିଛି ଅଭିନେତା ରାଜନୀତିକୁ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା କହୁଥିବାବେଳେ ଅଭିନେତା ଗୁଡୁ ପ୍ରଚାରକୁ ନେଇ ମତ ରଖିଛନ୍ତି । ଚର୍ଚ୍ଚା ହେଉଛି କି, ଏହି ଷ୍ଟାରମାନଙ୍କୁ ମଧ୍ୟ ଆଗାମୀ ଦିନରେ ବିଜେଡି ଟିକେଟ୍‌ ଦେଇ ମଇଦାନକୁ ଓହ୍ଲାଇପାରେ।

Share