ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ । ସେ କହିଛନ୍ତି, ଭାଜପାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ଓଡ଼ିଶାକୁ ଏକନମ୍ବର କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ୟ କଥା ଦେଖନ୍ତୁ । ଏହାଛଡ଼ା ମୁଣ୍ଡପିଛା ଋଣ ହିସାବରେ ଆସାମର ଋଣଭାର ଓଡ଼ିଶା ଠାରୁ ୨ଗୁଣା ଅଧିକ। ଏଣୁ ପ୍ରଥମେ ନିଜ ରାଜ୍ୟକଥା ବୁଝନ୍ତୁ ।

ଶୁକ୍ରବାର ମଧ୍ୟ କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଥିଲେ। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ ବା ରାଜନୈତିକ ପର୍ଯ୍ୟଟକ କହି ନବୀନ ଆକ୍ଷେପ କରିଥିଲେ। ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ‘ପିଟିଆଇ’କୁ ସାକ୍ଷାତାକାର ଦେଇ ଏଭଳି ମନ୍ତବ୍ୟ ଦେଇଥିଲେ।

ସାକ୍ଷାତାକାରରେ ସେ କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ପଲିଟିକାଲ ଟୁରିଷ୍ଟ ଆସନ୍ତି। କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଓଡ଼ିଶା ଆସନ୍ତି, ପରେ ସେମାନେ ଦେଖାଯାଆନ୍ତି ନାହିଁ। ଓଡ଼ିଶାବାସୀଙ୍କ ଉପରେ ଭାଜପାର କେନ୍ଦ୍ରୀୟ ନେତାଙ୍କ ବକ୍ତବ୍ୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁର୍ଭାଗ୍ୟର ବିଷୟ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଆଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। କିନ୍ତୁ ଏଥିରେ ମୁଁ ବିଶ୍ବାସ କରେନି। ଭାଜପାର ଏଭଳି ଭାଷାକୁ ରାଜ୍ୟବାସୀ ପସନ୍ଦ କରନ୍ତିନି କି ପ୍ରଶୟ ମଧ୍ୟ ଦିଅନ୍ତିନି ବୋଲି ନବୀନ କହିଛନ୍ତି।

 

Share