Categories: ଜାତୀୟ

‘କୃଷକ ଦେଢ ବର୍ଷ ବସିଲେ ଆପଣ ୧୫ ମିନିଟରେ ବ୍ୟସ୍ତ ହୋଇପଡିଲେ’: ସିଦ୍ଧୁ

ଚଣ୍ଡିଗଡ଼,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ବାଟରେ ତାଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ ଗାଡି ମଝି ରାସ୍ତାରେ ପାଖାପାଖି ୨୦ ମିନିଟ ଧରି ଅଟକି ରହିଥିଲା । ଏବେ ଏହାକୁ ନେଇ ରାଜନୀତି ହେଲାଣି ସରଗରମ । ଏହି ଘଟଣା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଡିଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଏପଟେ ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ମୋଦିଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଗତ ପ୍ରାୟ ଦେଢ ବର୍ଷ ଧରି କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସି ରହିଥିଲେ । ଆଉ ଆଜି ମୋଦି ୧୫ ମିନିଟ ରାସ୍ତାରେ ଅଟକି ଯିବାରୁ କାହିଁକି ଏତେ ବ୍ୟସ୍ତ ହୋଇ ପଡୁଛନ୍ତି । ଏମିତି ଦୋହରା ମାପଦଣ୍ଡ କ’ଣ ପାଇଁ ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି । ମୋଦି କହିଥିଲେ କୃଷକଙ୍କ ଆୟ ଦ୍ୱିଗୁଣା କରିଦେବେ । ହେଲେ ଏବେ କୃଷକଙ୍କ ପାଖରେ ଯାହା ଥିଲା ତାକୁ ବି ଆପଣ ଛଡାଇ ନେଇଗଲେ । ସୂଚନାଯୋଗ୍ୟ, ମୋଦି ରାସ୍ତାରେ ଅଟକି ରହିବା ଘଟଣାକୁ ନେଇ ବାରମ୍ବାର ପଞ୍ଜାବ ସରକାରଙ୍କ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ବି ପାଲଟା ଜବାବ ଦେଇ ଚାଲିଛନ୍ତି ।

Share