Categories: ଜାତୀୟ

ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧୁ ନେଇପାରନ୍ତି ବଡ ପଦକ୍ଷେପ

ଚଣ୍ଡିଗଡ଼,୫ ।୨: ପଞ୍ଜାବର ଶାସକ କଂଗ୍ରେସ ଦଳ ମଧ୍ୟରେ ଲାଗି ରହିଥିବା ଅନ୍ତଃ କଳହ ତୁଟିବାର ନାଁ ନେଉନି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳରେ ତୁତୁ ମେମେ ଲାଗି ରହିଛି । ଏବେ ନବଜୋତ ସିଂ ସିଦ୍ଧୁ ଯେମିତି ଆକ୍ସନ ମୁଡରେ ଅଛନ୍ତି । ଯଦି ପୁଣିଥରେ ଚରଣଜିତ ସିଂ ଚନ୍ନି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସିଦ୍ଧୁ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ସେ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଇସାରା କରି କହିଛନ୍ତି ଉପରେ ବସିଥିବା ଲୋକେ(ହାଇକମାଣ୍ଡ) ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ଯିଏକି ତାଙ୍କ ଇସରାରେ ନାଚି ପାରିବ । ଫେବୃୟାରୀ ୬ରେ କଂଗ୍ରେସ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ସିଦ୍ଧୁଙ୍କ କଡା କଥା ରାଜନୀତି ମାହୋଲକୁ ଉଷ୍ମ କରିଛି । ସିଦ୍ଧୁ ଚନ୍ନିଙ୍କୁ ଦୁର୍ବଳ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ କରି ଦଳ ଲାଗି ଅଡୁଆ ସୃଷ୍ଟି କରି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ସିଦ୍ଧୁ କହିଛନ୍ତି ଜଣେ ଭଲ ମୁଖ୍ୟମନ୍ତ୍ରୀଙ୍କୁ ବାଛିବା କେବଳ ପଞ୍ଜାବବାସୀଙ୍କ ହାତରେ ରହିଛି । ଅମୃତସରରେ ନିଜ ସମର୍ଥକଙ୍କ ଗହଣରେ ରହି ସିଦ୍ଧୁ କହିଛନ୍ତି, ଯଦି ନୂଆ ପଞ୍ଜାବ ଗଢିବାର ଅଛି, ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି । ଆପଣମାନେ ଏଥର ମୁଖ୍ୟମନ୍ତ୍ରୀ ବାଛିବେ । ଏପଟେ ଆଲୋଚନା ହେଉଛି ଯଦି ହାଇକମାଣ୍ଡ ପୁଣିଥରେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି ତେବେ ସିଦ୍ଧୁ ହୁଏତ କଂଗ୍ରେସ ଛାଡିଦେଇ ପାରନ୍ତି । ନିକଟରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଇସାରା ଦେଇ କହିଥିଲେ କି ଆମେ ପତ୍ନୀ-ପତି ପୁରୁଣା ପ୍ରଫେଶନକୁ ଫେରିପାରୁ ।

Share