ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସିଦ୍ଧୁ ଏବେ ଜେଲ କାର୍ଯ୍ୟାଳୟରେ କ୍ଲରିକାଲ କାମ କରିବେ । ଜେଲର ସୁରକ୍ଷା ଦୃଷ୍ଟିରୁ ସିଦ୍ଧୁଙ୍କୁ କ୍ଲରିକାଲ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲା ବେଳେ ଜେଲ ବିଭାଗ ପକ୍ଷରୁ ତାଙ୍କର ସଜା ସମୟ ମଧ୍ୟରେ ଜେଲରେ କ୍ଲରିକାଲ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ସଜା ଶୁଣାଇବା ପରେ ସେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରଠାରୁ ତାଙ୍କୁ ପଟିଆଲା ଜେଲର ବାରାକ ନମ୍ବର ୧୦ରେ ରଖାଯାଇଛି । ତେବେ ଜେଲ ଅଧିକ୍ଷକ ମନଜିତ ସିଂ ଟିୱାଣା କହିଛନ୍ତି ସିଦ୍ଧୁ ଉଚ୍ଚ ଶିକ୍ଷିତ ହୋଇଥିବାରୁ ତାଙ୍କୁ ଜେଲର କ୍ଲରିକାଲ କାମ ଦିଆଯାଇଛି । ଏଥିପାଇଁ ତାଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବାରାକ ନମ୍ବର ୧୦ରେ ସବୁଦିନ ଫାଇଲ ତାଙ୍କ ନିକଟରେ ପହଞ୍ଚିଯିବ । ସେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଯେତେବେଳେ ଚାହିଁବେ ଅଫିସ କାମ କରିପାରିବେ ଓ ଯେତେବେଳେ ଚାହିଁବେ ବିଶ୍ରାମ ନେଇ ପାରିବେ । ପ୍ରଥମ ୩ ମାସ ତାଙ୍କର ଟ୍ରେନିଂ ପରିୟଡ ହୋଇଥିବାରୁ ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ । ତିନି ମାସ ପରେ ସେହି ସମୟର ପାରିଶ୍ରମିକ ଅନୁଯାୟୀ ତାଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ କରାଯିବ ।

Share