Categories: ଜାତୀୟ

ଆମରଣ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା କ୍ରାଇମ୍‌ ବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି। ଏହାପରେ ଆମରଣ ଅନଶନ ଭାଙ୍ଗିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁ। ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷଙ୍କ ଗିରଫଦାରୀ ଦାବିରେ ମୃତ ଜର୍ନାଲିଷ୍ଟ ରମନ କଶ୍ୟପଙ୍କ ଘରେ ସିଦ୍ଧୁ ଆମରଣ ଅନଶନରେ ବସିଥିଲେ।

ଗତ ୩ ତାରିଖରେ ଘଟିଥିବା ହିଂସାରେ ଜର୍ନାଲିଷ୍ଟ ରମନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସମେତ ୮ ଜଣଙ୍କ ଜୀବନ ନେଇଥିଲା ଲଖିମପୁର ଖେରି ହିଂସା। ଉତ୍ତରପ୍ରଦେଶ ପୋଲିସ ସୋମବାର ଆଶିଷଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।

ବିଭିନ୍ନ ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ଗସ୍ତକୁ ଲଖିମପୁର ଖେରି ଅଞ୍ଚଳରେ ଚାଷୀମାନେ ବିରୋଧ କରୁଥିଲେ। ମନ୍ତ୍ରୀ ସେ ବାଟ ଦେଇ ଆସିବେ ନାହିଁ ଜାଣିବା ପରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଫେରୁଥିଲେ। ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ୩ ଗାଡ଼ିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଦଳି ଦେଇଥିଲେ।

Share