Categories: ଜାତୀୟ

୩୦ ଦିନରେ ୨୫ ହତ୍ୟା, କେମିତି ରହିବେ ଲୋକେ, ମାନ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

ଚଣ୍ଡିଗଡ଼,୮ ।୪: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୁରୁବାର ପଟିଆଲାରେ ରାଜ୍ୟର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ରାଜ୍ୟରେ ଗତ ୩୦ ଦିନ ମଧ୍ୟରେ ୨୫ଟି ହତ୍ୟା ହୋଇସାରିଲାଣି । ତେଣୁ ଏଠାରେ କେମିତି ରହିବେ ଲୋକେ । ଏଏପି ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ସର୍ବ ପ୍ରଥମେ ପଞ୍ଜାବୀଙ୍କୁ ସୁରକ୍ଷା ଦିଅନ୍ତୁ । ଯଦି ଲୋକେ ନିଜ ରାଜ୍ୟରେ ସୁରକ୍ଷିତ ନୁହେଁ ତେବେ ଏଠାରେ କେମତି ରହିବେ । ଏଏପି କେବଳ ଯୁବକଙ୍କୁ ବିଦେଶ ନ ଯାଇ ରାଜ୍ୟରେ ରୋଜଗାର ଦେବ କହି ଭୋଟ ହାତେଇ ନେଇ ସରକାର ଗଠନ କରିଦେଲା ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ସିଦ୍ଧୁ ପଟିଆଲାର ଦୋଣକଲାଂରେ କବାଡି ଖେଳାଳୀ ଧରମିନ୍ଦର ସିଂହଙ୍କ ଘରକୁ ଶୋକ ପ୍ରକାଶ କରିବାକୁ ପହଞ୍ଚିଥିଲେ । ସେ କହିଥିଲେ ଏହି ଦୁଃଖ ସମୟରେ ଖେଳାଳୀଙ୍କ ପରିବାର ସହ କଂଗ୍ରେସ ରହିଛି, ପରିବାରକୁ ନ୍ୟାୟ ନିଶ୍ଚୟ ମିଳିବ ।
ଏହି ସମୟରେ ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱତ ମାନଙ୍କ ଉପରେ ଖୁବ ବର୍ଷିଥିଲେ । ସେ କହିଛନ୍ତି ପଞ୍ଜାବରେ ବେଳକୁ ବେଳ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ହେଲେ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟରେ ପ୍ରଚାର କାର୍ଯ୍ୟରେ ମାତିଛନ୍ତି । ସେ ଦୋଷୀଙ୍କୁ ଗିରଫ କରିବାକୁ ପୋଲିସକୁ ୩ ଦିନର ଅଏଟିମେଟମ ଦେଇଛନ୍ତି । ସିଦ୍ଧୁ କହିଛନ୍ତି ପୋଲିସ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ତେବେ ସେ ଆଗକୁ ରଣନୀତି ପ୍ରସ୍ତୁତ କରିବେ । ସୂଚନାଯୋଗ୍ୟ, ପଞ୍ଜାବ ୟୁନିଭର୍ସିଟି ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କବାଡି କ୍ଲବର ମୁଖ୍ୟ ଧରମିନ୍ଦର ସିଂହ (୩୨)ଙ୍କୁ କେତେଜଣ ଲୋକ ଗୁଳିକରି ହତ୍ୟା କରିଥିଲେ ।

Share