Categories: ଜାତୀୟ

କଂଗ୍ରେସକୁ କେବଳ କଂଗ୍ରେସ ହରାଇ ପାରିବ: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୈତିକ ବାତାବରଣରେ ମଧ୍ୟ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ନିକଟରେ ଏକ ଘରୋଇ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କହିଛନ୍ତି କଂଗ୍ରେସକୁ କେହି ହରାଇ ପାରିବେ ନାହିଁ । କିନ୍ତୁ କଂଗ୍ରେସ ହିଁ କେବଳ କଂଗ୍ରେସକୁ ହରାଇପାରିବ ବୋଲି ସେ ମତ ରଖିଛନ୍ତି । ଅସଲ କଥା ହେଲା ଏବେ ପର୍ଯ୍ୟନ୍ତ ପଞ୍ଜାବର ଶାସକ ଦଳ କଂଗ୍ରେସ ମଧ୍ୟରେ କନ୍ଦଳ ତୁଟି ପାରୁନାହିଁ । ଏହାକୁ ନେଇ ସିଦ୍ଧୁ କହିଛନ୍ତି କଂଗ୍ରେସ ଯେତେବେଳ ପର୍ଯ୍ୟନ୍ତ ଏକଜୁଟ ରହିବ ତାକୁ କୌଣସି ଦଳ ହରାଇପାରିବ ନାହିଁ । ତେଣୁ ଆମ ଭିତରେ ଏକତା ଜରୁରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଉପରେ ସିଦ୍ଧୁ ଖପ୍ପା ଥିବା ଆଲୋଚନା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି । ସିଦ୍ଧୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି ଭଲ କାମ କରୁଛନ୍ତି । ତାଙ୍କ ସହ ମୋର କୌଣସି ମନୋମାଳିନ୍ୟ ନାହିଁ । କେବଳ ଗଣମାଧ୍ୟମ ଆମ ମଝିରେ ଫାଟ ସୃଷ୍ଟି କରୁଛି । ଅନ୍ୟପଟେ ସେ ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲକୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ କେଜରିୱାଲଙ୍କ ସହ ସମସ୍ତ ବିଷୟକୁ ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାସହ ସିଦ୍ଧୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Share