ଚଣ୍ଡିଗଡ଼,୨୦।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ନବଜୋତ ସିଂହ ସିଦ୍ଧୁ ପଟିଆଲା ସେଶନ କୋର୍ଟରେ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏକ ବର୍ଷ ଯାଏଁ ଜେଲ୍ରେ ବିତାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୩୪ବର୍ଷ ପୁରୁଣା ରୋଡ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ। ଅନ୍ୟପକ୍ଷେ ସିଦ୍ଧୁ ଆତ୍ମସମର୍ପଣ ପାଇଁ ସମୟ ମାଗିଥିଲେ ସୁଦ୍ଧା ଶୁକ୍ରବାର ଅପରାହ୍ନରେ କୋର୍ଟରେ ହାଜର ହୋଇ ନିଜକୁ ଆତ୍ମସମର୍ପଣ କରିଛନ୍ତି। ଏନେଇ ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଦଲ୍ଲା ସୂଚନା ଦେଇଛନ୍ତି। ସେ ଏବେ ନ୍ୟାୟିକ ହେପାଜତରେ ଥିବା ବେଳେ ବର୍ତ୍ତମାନ ତାଙ୍କର ଡାକ୍ତରୀ ଯାଞ୍ଚ ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଚାଲିଛି ବୋଲି ସୁରିନ୍ଦର ଦଲ୍ଲା କହିଛନ୍ତି।