Categories: ଜାତୀୟ

ସଞ୍ଜୟଙ୍କ ଗିରଫ ପରେ ଖୁସିରେ ଝୁମିଲେ ନବନୀତ

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ଏହି ଘଟଣାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅମରାବତୀ ଏମ୍‌ପି ନବନୀତ ରାଣା। ଶିବସେନା ଉପରେ ପ୍ରାୟତଃ ଟାର୍ଗେଟ୍‌ କରୁଥିବା ନବନୀତ୍‌ କହିଛନ୍ତି, ଅନେକ ମାସ ପୂର୍ବରୁ ଇଡି ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ଥିଲା। ପାତ୍ରା ଚୌଲ ସମେତ ଅନେକ ସ୍ଥାନରେ ଦୁର୍ନୀତି ହୋଇଛି। ସଞ୍ଜୟ ରାଉତ ୨୫ ରୁ ୩୦ କମ୍ପାନୀରେ ଅଂଶୀଦାର ଅଛନ୍ତି ଏବଂ ସେମାନଙ୍କ ସହିତ ମିଶି ଦୁର୍ନୀତି କରୁଥିଲେ। ଦୁର୍ନୀତି ମାଧ୍ୟମରେ ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଟଙ୍କା ଖାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଇଡି ନିକଟରେ ରହିଛି। ଏମାନଙ୍କୁ ମହାରାଷ୍ଟ୍ର ଲୋକମାନେ ଉଚିତ୍‌ ଜବାବ ଦେବେ।
ସୂଚନାଯୋଗ୍ୟ, ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛନ୍ତି। ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ ଆରମ୍ଭ କରିଥିଲା। ଦୀର୍ଘ ୯ ଘଣ୍ଟାର ଛାନଭିନ କରିବା ପରେ ସଞ୍ଜୟଙ୍କ ଘରୁ ଇଡି ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା।
ନବନୀତ ଶିବସେନା ଉପରେ କ୍ରମାଗତ ଟାର୍ଗେଟ୍‌ କରିଆସୁଛନ୍ତି। ଉଦ୍ଧବ ଠାକରେ ସରକାର ସମୟରେ ସେ ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ସେ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପ୍ରାୟ ଦୁଇ ସପ୍ତାହ ପରେ ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀଙ୍କୁ ଜାମିନ ମିଳିଥିଲା।

Share