Categories: ଜାତୀୟ

ଉଦ୍ଧବଙ୍କୁ ନବନୀତଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ମୋ ସହ ନିର୍ବାଚନ ଲଢି ଦେଖାଅ

ମୁମ୍ବାଇ,୮ ।୫: ହନୁମାନ ଚାଳିଶା ବିବାଦ ପରେ ଚର୍ଚ୍ଚାରେ ଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ମହାରାଷ୍ଟ୍ରର ଯେ କୌଣସି ଆସନରୁ ନିର୍ବାଚନ ଲଢନ୍ତୁ ମୁଁ ତାଙ୍କ ସହ ଲଢିବାକୁ ପ୍ରସ୍ତୁତ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା ନଗର ନିଗମ ନିର୍ବାଚନରେ ସେ ସମ୍ପୂର୍ଣ୍ଣ ଶକ୍ତି ନେଇ ଜନତାଙ୍କ ଭିତରକୁ ଯିବେ । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଆଗକୁ ଜନତା କହିବେ ରାମ ଓ ହନୁମାନଙ୍କ ନାମ ନେଉଥିବା ଲୋକଙ୍କୁ ହଇରାଣ କଲେ ପରିଣାମ କ’ଣ ହୋଇଥାଏ ।

ସୂଚନାଯୋଗ୍ୟ, ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନବନୀତ ରାଣା ରବିବାର ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ସମୟରେ ସେ ହାତରେ ହନୁମାନ ଚାଳିଶା ଧରିଥିବା ଦେଖାଯାଇଥିଲା । ଏହାପରେ ସେ ଗଣମାଧ୍ୟମ ସହ କଥା ହୋଇ କହିଥିଲେ ହନୁମାନ ଚାଳିଶା ପଢିବା ପାଇଁ ସେ ୧୪ ଦିନ କ’ଣ ୧୪ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛନ୍ତି । ୧୪ ବର୍ଷ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରଖେ । କାରଣ ୧୪ ବର୍ଷ ବନବାସ ପରେ ଭଗବାନ ରାମ ରାଜଗାଦିରେ ବସିଥିଲେ । ଏହି ଅମସରରେ ନବନୀତ କହିଥିଲେ ମୁଁ କୋର୍ଟର ନିର୍ଦ୍ଦେଶକୁ ସମ୍ମାନ କରୁଛି । ହେଲେ ସରକାର ମୋ ବିରୋଧରେ ଯେଉଁ ଅତ୍ୟାଚାର କରିଛନ୍ତି ଏହା ବିରୋଧରେ ମୁଁ ସ୍ୱର ଉଠାଇବି ।

Share