Categories: ଜାତୀୟ

ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ ୨୯ରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ଜାମିନ ଆବେଦନ ଆଜି ଶୁଣାଣି ହୋଇଥାନ୍ତା, କିନ୍ତୁ ମୁମ୍ବାଇର ସେଶନ୍ସ କୋର୍ଟ ଶୁଣାଣି ଏପ୍ରିଲ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଫଳରେ ସେପର୍ଯ୍ୟନ୍ତ ଦମ୍ପତିଙ୍କୁ ଜେଲ୍‌ରେ ରହିବାକୁ ପଡିବ। ଏହାପୂର୍ବରୁ ନବନୀତ ଏବଂ ରବିଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳି ନ ଥିଲା। ଏହା ପରେ ସେ ମୁମ୍ବାଇ ସେସନ୍ସ କୋର୍ଟକୁ ଯାଇଥିଲେ।
ମୁମ୍ବାଇର ସେସନ୍ସ କୋର୍ଟରେ ନବନୀତ ଏବଂ ରବି ରାଣାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ସରକାରୀ ଓକିଲ ରାଣା ଦମ୍ପତିଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ଏପର୍ଯ୍ୟନ୍ତ ନିମ୍ନ ଅଦାଲତରେ ଜାମିନ ଆବେଦନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏଭଳି ପରିସ୍ଥିତିରେ ସେସନ୍ସ କୋର୍ଟରେ କିପରି ଆବେଦନ ହୋଇପାରିବ। ଜାମିନ ଆବେଦନ ଶୁଣାଣି ପାଇଁ ରାଣାଙ୍କ ଓକିଲ ତାରିଖ ମାଗିଥିଲେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ ପାଇଁ ଖୋଲା ଚାଲେଞ୍ଚ ଦେବା ପରେ ପୋଲିସ ଉଭୟଙ୍କୁ ଶନିବାର ଗିରଫ କରିଥିଲା।

Share