Categories: ଜାତୀୟ

‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା କର୍ମକର୍ତ୍ତାଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶନିବାର ପୁଣେ ସ୍ଥିତ ଶିବସେନାର ବିଦ୍ରୋହୀ ବିଧାୟକ ତାନାଜି ସାୱନ୍ତଙ୍କ କାର୍ଯ୍ୟାଳୟକୁ ଦଳର କର୍ମକର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଏଥିସହ ଉଦ୍ଧବ ଠାକରେଙ୍କ ସମର୍ଥନରେ ସ୍ଲୋଗାନ ଦେଇ ନାରାବିଜି କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ଅମରାବତୀ ଏମ୍‌ପି ନବନୀତ ରାଣା ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି। ନବନୀତ ଏକ ଭିଡିଓ ଶେୟାର କରି କହିଛନ୍ତି, ରାଜ୍ୟରେ ଦାଦାଗିରି ବନ୍ଦ ହେବା ଉଚିତ। ଏଥିସହ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମହାରାଷ୍ଟ୍ରରେ ଦାଦାଗିରି, କ୍ଷମତାର ଅପବ୍ୟବହାର ରୋକିବ ସହ ସମ୍ବିଧାନକୁ ବଞ୍ଚାଇବାକୁ ନିବେଦନ କରିଛନ୍ତି। ଏତଦ୍‌ ବ୍ୟତୀତ ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦିଆଯିବା ସହ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନବନୀତ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ଅନୁରୋଧ କରିଛନ୍ତି।

Share