Categories: ଜାତୀୟ

ବାଚସ୍ପତିଙ୍କୁ ଚିଠି ଲେଖିଲେ ନବନୀତ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ ପାଇଁ ଖୋଲା ଚାଲେଞ୍ଜ ଦେବା ପରେ ପୋଲିସ ଅମରାବତୀର ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କୁ ଗିରଫ କରିଛି। ସୋମବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି ନବନୀତ୍‌। ଚିଠିରେ ସେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ମୋତେ ଏପ୍ରିଲ ୨୩ ୨୦୨୨ରେ ଖର ପୋଲିସ ଷ୍ଟେଶନକୁ ନିଆଯାଇଥିଲା। ମୁଁ ରାତିସାରା ପୋଲିସ ଷ୍ଟେଶନରେ କଟାଇଲି। ମୁଁ ପାଣି ପିଇବାକୁ କହିଲି କିନ୍ତୁ ମୋତେ ପାଣି ମଧ୍ୟ ଦିଆଯାଇ ନ ଥିଲା। ପୋଲିସର ଏଭଳି ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କରିଥିଲା। ପୋଲିସ କର୍ମଚାରୀ କହିଥିଲେ, ମୁଁ ଏକ ଅନୁସୂଚିତ ଜାତିର ଅଟେ, ତେଣୁ ସେମାନେ ମୋତେ ଗ୍ଲାସରେ ପାଣି ଦେବେ ନାହିଁ। ଜାତି ଆଧାରରେ ମୋତେ ସିଧାସଳଖ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଏହି କାରଣରୁ ମୋତେ ପିଇବାକୁ ପାଣି ଦିଆଯାଇ ନ ଥିଲା। ଗିରଫ ସମୟରେ ଶୌଚାଳୟ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିଥିଲି। ସେତେବେଳେ ପୋଲିସ କର୍ମଚାରୀମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ।
ରାଣା ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ହିନ୍ଦୁତ୍ୱ ନୀତିରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇ ସାଧାରଣ ଜନତାଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଚାହୁଁଛି। ମୁଁ ଶିବସେନାକୁ ଜାଗ୍ରତ କରିବାକୁ ଚାହୁଁଥିଲି। ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ଜପ କରିବି ବୋଲି କହିଥିଲା। ଏହା କୌଣସି ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ନବନୀତ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣା ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଶିବସେନା କର୍ମଚାରୀମାନେ ମାତୋଶ୍ରୀ ବାହାରେ ଏକାଠି ହୋଇଥିଲେ। ମୁହାଁମୁହିଁ ହେବାର ଭୟ କରି ପୋଲିସ ରାଣା ଦମ୍ପତିଙ୍କୁ ଗିରଫ କରିଥିଲା।

Share