ମଣ୍ଡପରେ ହୁଏ ନବରାତ୍ର ପୂଜା

ବ୍ରହ୍ମପୁର,୭ା୧୦(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ସହରରେ ଶାରଦୀୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରତ୍ୟେକ ପୂଜା କମିଟିରେ ମେଢ, ମୂର୍ତ୍ତି ଓ ତୋରଣ ସାଜସଜା ରାଜ୍ୟ ତଥା ରାଜ୍ୟ ବାହାର କାରିଗରଙ୍କ ଦ୍ୱାରା କରାଯାଉଛି। ମହାଳୟାଠାରୁ ନବରାତ୍ର ପୂଜା ପୂଜା ଆରମ୍ଭ ହେବ। ଭିକ୍ଟୋରିଆ ମାର୍କେଟ ଦୁର୍ଗା ପୂଜା କମିଟି (ଗିରି ମାର୍କେଟ) ସହରରେ ପ୍ରଥମ କରି ନବରାତ୍ର ପୂଜା ଆରମ୍ଭ କରିଥିଲା। ୧୯୫୬ରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। କମିଟି ପକ୍ଷରୁ ଗୋପିନାଥ ମହାରଣା, ରାମକୃଷ୍ଣ ମହାରଣା, ରାମଚନ୍ଦ୍ର ମହାରଣା, ଭକ୍ତ ଚରଣ ମହାରଣା, ମୋହନ ମହାରଣା, କ୍ଷେତ୍ରବାସୀ ମହାରଣା ଓ ନିମେଇ ଦଳେଇ ମିଳିତ ଭାବେ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ। ପୂର୍ବରୁ ମୂର୍ତ୍ତିର ଉଚ୍ଚତା ୭ ଫୁଟ ରହିଥିଲା। ଏବେ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯାଉଛି। କୋଲକତା କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଛି। ସେହିପରି ପ୍ରତିବର୍ଷ ଜରି ମେଢ ନିର୍ମାଣ କରାଯାଉଛି। ଯାହାକୁ କମିଟି ସଦସ୍ୟ ବିନା ମଜୁରୀରେ ନିର୍ମାଣ କରୁଛନ୍ତି। ଏହାର ଉଚ୍ଚତା ୧୪ ଫୁଟ ରହିଥିବା ବେଳେ ଓସାର ୧୫ ଫୁଟ ରହିଛି। ମଣ୍ଡପରେ ନବରାତ୍ର ପୂଜା ପରମ୍ପରା ରହିଥିବା କମିଟି ପକ୍ଷରୁ କୁହାଯାଇଛି। ଏଠାରେ ପୂଜା ପାଉଥିବା ମା’ଙ୍କ ମୃଣ୍ମୟ ମୂର୍ତ୍ତିଙ୍କ ନିକଟରେ କୌଣସି ମାନସିକ ରଖିଲେ ପୂରଣ ହୋଇଥାଏ ବୋଲି ସହରବାସୀଙ୍କ ବିଶ୍ୱାସ ରହିଛି। ମା’ଙ୍କ ପାଖରେ ୯ ଦିନ ଧରି ଅନ୍ନ ଭୋଗ କରାଯିବ ବୋଲି କମିଟିର ସଦସ୍ୟ ଜୟ ମହାରଣା କହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ଅପେକ୍ଷା ରୀତିନୀତିରେ ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କମିଟି ପକ୍ଷରୁ କୁହାଯାଇଛି। ଭିକ୍ଟୋରିଆ ମାର୍କେଟ ଦୁର୍ଗା ପୂଜା କମିଟି ୨୦୦୫ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। ବର୍ତ୍ତମାନ କମିଟି ପକ୍ଷରୁ ମନମୋହନ ଦଳେଇ, ପଦ୍ମ ମହାରଣା, ଲିଙ୍ଗରାଜ ମହାରଣା ଓ କୁନା ମହାରଣା ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

Share