Categories: ଜାତୀୟ

ଜାହାଜ ଉପରେ ଯୋଗ କଲେ ନୌସେନା ଯବାନ

ନୂଆଦିଲ୍ଲୀ,୨୧ା୬:  ସାରା ବିଶ୍ୱର କୋଣ ଅନୁକୋଣରେ ଯୋଗାଭ୍ୟାସ କରାଯାଉଛି। ଯୋଗ ଦ୍ୱାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଏହା ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ୍‌ ୨୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତୀୟ ନୌସେନା ପକ୍ଷରୁ ଜାହାଜ ଉପରେ ଯୋଗ କରିଛନ୍ତି ଯବାନ। ସମୁଦ୍ର ଗର୍ଭରେ ଥାଇ ମଧ୍ୟ ସୁସ୍ଥତାର ବାର୍ତ୍ତା ଦେଇଛନ୍ତି ନୌସେନା ଯବାନ। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଯୋଗ ସାରା ବିଶ୍ୱରେ ବେଶ୍‌ ଜନପ୍ରିୟ ହୋଇଉଠିଛି। ଯୋଗକୁ ଆହୁରି ବ୍ୟାପକ ଭାବରେ ବିଶ୍ୱରେ ପ୍ରତିଷ୍ଠିତ କରାଇବା ଉଦ୍ଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଡିସେମ୍ବରରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରତିବର୍ଷ ଜୁନ୍‌ ୨୧କୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ୧୭୭ ରାଷ୍ଟ୍ର। ତେବେ ଏଥିପାଇଁ ଜୁନ୍‌ ୨୧କୁ ଚୟନ କରିବାର କାରଣ ହେଲା ଏହି ଦିନ ସୂର୍ଯ୍ୟ ଆକାଶରେ ସବୁଠାରୁ ଉତ୍ତରରେ କର୍କଟକ୍ରାନ୍ତି ଉପରେ ପହଞ୍ଚିଥାନ୍ତି ଓ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଏହି ଦିବସଟି ବର୍ଷରେ ଦୀର୍ଘତମ। ୨୦୧୫ରୁ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି।

Share