ଗୋପାଳପୁର ବନ୍ଦରରେ ଲାଗିଛି ନୌସେନା ଜାହାଜ ‘କୁଠାର’, ଦେଖିବାକୁ ପ୍ରବଳ ଭିଡ଼

ଛତ୍ରପୁର,୨୪ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘କୁଠାର’ ରବିବାର ଲଙ୍ଗର ପକାଇଛି। ଏହି ଜାହାଜ ଦେଖିବାକୁ ସକାଳ ୯ଟାରୁ ଅପରାହ୍ନ ୪.୩୦ ମିନଟ୍‌ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରୀଛାତ୍ରଙ୍କ ପ୍ରବଳ ଭିଡ଼ ଲାଗିଥିଲା। ପର୍ଯ୍ୟଟକ ତଥା ଯାତ୍ରୀମାନଙ୍କୁ ମୁଖ୍ୟ ଗେଟ୍‌ଠାରୁ ଜେଟି ପର୍ଯ୍ୟନ୍ତ ବସ୍‌ ଯୋଗେ ନିଆ ଯିବା ବ୍ୟବସ୍ଥା କରାଯାଇଛି। ଏହି ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ୍‌ଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝି ପାରିବେ। କେଉଁ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ବୁଝି ପାରୁଛନ୍ତି। ଏଥିରେ ଏନ୍‌ସିସି, ସ୍କାଉଟ୍‌ ଏବଂ ଅନ୍ୟାନ୍ୟ ଛାତ୍ରୀଛାତ୍ର ଏଠାରୁ ବିଭିନ୍ନ ଶିକ୍ଷା ଲାଭ କରିପାରୁଛନ୍ତି। ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ।
ସୂଚନାଯୋଗ୍ୟ, ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣାଠାରୁ ଭାରତୀୟ ନୌସେନାର ଦୁଇଟି ଜାହାଜ ଗୋପାଳପୁର ବନ୍ଦର ଓ ପାରାନ୍ଦୀପ ବନ୍ଦରକୁ ଆସିଛି। ନୌସେନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି।

Share