କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ । କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ । ଏହାକୁ ନେଇ ସବୁ ମହଲରୁ ତାଙ୍କୁ ସମାଲୋଚନା କରାଯାଇଛି । ରାଣାୱତ କହିଥିଲେ, ‘୧୯୪୭ରେ ଦେଶକୁ ଯେଉଁ ସ୍ୱାଧିନତା ମିଳିଥିଲା ତାହା ପ୍ରକୃତ ସ୍ୱାଧିନତା ନୁହେଁ, ତାହା ଭିକ୍ଷାରେ ମିଳିଥିଲା । ୨୦୧୪ରେ ମିଳିଲା ପ୍ରକୃତ ସ୍ୱାଧିନତା ।’ କଙ୍ଗନାଙ୍କ ଏଭଳି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଥମେ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ସେ ନିକଟରେ ପାଇଥିବା ପଦ୍ମଶ୍ରୀକୁ କେନ୍ଦ୍ର ସରକାର ଫେରାଇ ନେବାକୁ ଦାବି ହୋଇଥିଲା । ଏହାର ଗୋଟିଏ ଦିନ ପରେ ଏବେ ଚର୍ଚ୍ଚାରେ ଥିବା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲିକ ବି ସମାନ କଥା ଉଠାଇଛନ୍ତି । ୨୪ ସେକେଣ୍ଡର ଏକ କ୍ଲିପ କଙ୍ଗନାଙ୍କ ପାଇଁ ବୁମେରାଂ ପାଲଟି ଯାଇଛି । ମଲିକ କହିଛନ୍ତି କଙ୍ଗନାଙ୍ଗ ଏଭଳି ମନ୍ତବ୍ୟ ସ୍ୱାଧିନତା ସଂଗ୍ରାମୀଙ୍କୁ ଅପମାନିତ କରିଛି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କଠାରୁ କେନ୍ଦ୍ର ସରକାର ପଦ୍ମଶ୍ରୀ ଉପାଧି ଫେରାଇ ନିଅନ୍ତୁ ।

Share