ଅକ୍ଟୋବରରେ ଶେଷ ହେବ ନଓ୍ବାଜଙ୍କ ବନବାସ: ଫେରିବେ ସ୍ବଦେଶ, ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ…

ଲାହୋର,୯।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୱାଜ ସରିଫ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ପାକିସ୍ତାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ନୱାଜ ସରିଫ ଗତ ଚାରି ବର୍ଷ ଧରି ଲଣ୍ଡନରେ ଆତ୍ମ ନିର୍ବାସିତ ଜୀବନ ବିତାଉଛନ୍ତି। ପାକିସ୍ତାନ ମୁସଲିମ ଲିଗର ନେତା ନୱାଜ ଲଣ୍ଡନରେ ଦଳର କର୍ମୀଙ୍କ ସହ କଥାବାର୍ତ୍ତା ବେଳେ ସୂଚାଇ ଦେଇଛନ୍ତି ସେ ଶୀଘ୍ର ପାକିସ୍ତାନ ଫେରିବେ।

ଯଦିଓ ନୱାଜ ସରିଫଙ୍କ ପାକିସ୍ତାନ ଫେରିବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, ଅକ୍ଟୋବରରେ ତାଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ। ୨୦୧୮ ମସିହାରେ ଅଲ-ଅଜିଜିଆ ମିଲ୍ସ ଏବଂ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ନୱାଜ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲାହୋରର କୋଟ ଲଖପାଟ ଜେଲରେ ରହିବା ସମୟରେ ନୱାଜ ସରିଫଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଭଲ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ଦିଆଯାଇଥିଲା। ସେବେଠାରୁ, ନଭେମ୍ବର ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନୱାଜ ସରିଫ ଲଣ୍ଡନରେ ରହୁଛନ୍ତି।

ଏହାପୂର୍ବରୁ ଅଗଷ୍ଟ ୨୫ ରେ ନୱାଜ ସରିଫଙ୍କ ସାନଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଘୋଷଣା କରିଥିଲେ ନୱାଜ ସରିଫ ସେପ୍ଟେମ୍ବରରେ ପାକିସ୍ତାନ ଫେରିବେ ଏବଂ ତାଙ୍କ ବିରୋଧରେ ବିଚାରାଧୀନ ମାମଲାର ସମ୍ମୁଖୀନ ହେବେ। ଆଗାମୀ ସାଧାରଣ ନିର୍ବାଚନରେ ନୱାଜ ସରିଫ ଦଳର ନେତୃତ୍ୱ ନେବେ ବୋଲି ଶେହବାଜ ସରିଫ କହିଛନ୍ତି। ଶାହାବାଜ ସରିଫ ଏହା ମଧ୍ୟ କହିଛନ୍ତି ନୱାଜ ସରିଫ ଦେଶର ନେତୃତ୍ୱ ନେବେ। ଏହା ସୂଚାଉଛି ଆଗାମୀ ନିର୍ବାଚନରେ ନୱାଜ ସରିଫ ପିଏମଏଲ-ଏନରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।

ସର୍ବଶେଷ ଜନଗଣନା ପରେ ପାକିସ୍ତାନରେ ନୂତନ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଯେଉଁ କାରଣରୁ ସାଧାରଣ ନିର୍ବାଚନରେ ବିଳମ୍ବ ହେଉଛି। ଅଗଷ୍ଟ ୯ ରେ ପାକିସ୍ତାନ ସଂସଦ ଭଙ୍ଗ କରାଯାଇଥିଲା ଏବଂ ପାକିସ୍ତାନୀ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସଂସଦ ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Share