କ୍ଷମା ମାଗିଲେ ନଭାଦ ଲାପିଡ୍‌

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଗତବର୍ଷ ଏକ ପ୍ରୋପାଗଣ୍ଡା, ଅଶ୍ଳୀଳ ସିନେମା ଭାବେ ଅଭିହିତ କରି ବିବାଦୀୟ ହୋଇଥିବା ଇସ୍ରାଏଲୀ ପ୍ରଯୋଜକ ନଭାଦ ଲାପିଡ୍‌ ନିଜ ମନ୍ତବ୍ୟ ପାଇଁ ରବିବାର କ୍ଷମା ମାଗିଛନ୍ତି। ନଭାଦ କହିଛନ୍ତି, ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଥିଲା। କାହାକୁ ଅପମାନିତ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। ତେବେ ତାକୁ ଯେପରି ଭାବେ ଉପସ୍ଥାପନ କରାଗଲା, ସେଥିପାଇଁ ସେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି। ପ୍ରକାଶ ଯେ, ୧୯୯୦ ଦଶକରେ ଉପତ୍ୟକାରେ ଆତଙ୍କବାଦ ମୁଣ୍ଡ ଟେକିଥିବାବେଳେ କଶ୍ମୀର ପଣ୍ଡିତଙ୍କ ଗଣପଳାୟନ ଉପରେ ଆଧାରିତ ଏହି ଫିଲ୍ମ ୨୦୨୨ ମାର୍ଚ୍ଚ ୧୧ରେ ରିଲିଜ ହୋଇଥିଲା। ଗତବର୍ଷ ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଚାଲିଥିବା ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ମୁଖ୍ୟ ଜୁରି ନଭାଦ ଲାପିଡ୍‌ ବିବାଦୀୟ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରୋପାଗଣ୍ଡା, ଅଶ୍ଳୀଳ ସିନେମା ବୋଲି କହିଥିଲେ। ଏହି ସିନେମା ଏକ ପ୍ରତିଷ୍ଠିତ ଫିଲ୍ମ ମହୋତ୍ସବର କଳାମତ୍କ ବର୍ଗରେ ସାମିଲ ହେବା ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ। ଲାପିଡ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା।

Share