ଭାରତକୁ ପ୍ରଶଂସା କଲେ ନଓ୍ବାଜ, କହିଲେ ପଡୋଶୀ ଦେଶ ଚନ୍ଦ୍ରରେ ପହଞ୍ଚିଥିବାବେଳେ ପାକିସ୍ତାନ ଭୂମିରୁ ଉଠିନାହିଁ…

ଇସଲାମାବାଦ,୨୧।୧୨ : ପାକିସ୍ତାନର ଆର୍ଥିକ ଅବସ୍ଥା କାହାଠାରୁ ଲୁଚି ରହିନାହିଁ। ପ୍ରତିଦିନ ସାହାଯ୍ୟକାରୀ ଦେଶ ସହାୟତା କରୁଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ଚାରିପାଖରେ ଥିବା ଦେଶମାନେ ଚନ୍ଦ୍ରରେ ପହଞ୍ଚିଛନ୍ତି, କିନ୍ତୁ ପାକିସ୍ତାନ ଏପର୍ଯ୍ୟନ୍ତ ଭୂମିରୁ ଉଠିନାହିଁ।
ନୱାଜ ସରିଫ ଇସଲାମାବାଦରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) କର୍ମୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି।

ଦେଶର ଭୟଙ୍କର ଆର୍ଥିକ ସ୍ଥିତିକୁ ସୂଚାଇ ସେ କହିଛନ୍ତି, ’ଆମର ପଡ଼ୋଶୀମାନେ ଚନ୍ଦ୍ରରେ ପହଞ୍ଚିଛନ୍ତି, କିନ୍ତୁ ଆମେ ଏପର୍ଯ୍ୟନ୍ତ ଭୂମିରୁ ଉଠିବାରେ ସକ୍ଷମ ହୋଇ ନାହୁଁ। ଏହା ଏହିପରି ଆଉ ଚାଲିବ ନାହିଁ। ଆମର ନିଜ ପତନ ପାଇଁ ଆମେ ଦାୟୀ, ନଚେତ ଏହି ପାକିସ୍ତାନ ଏକ ଭିନ୍ନ ସ୍ଥାନରେ ପହଞ୍ଚିଥାନ୍ତା ।

ଶରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ୨୦୧୩ ମସିହାରେ ଦେଶରେ ବିଦ୍ୟୁତ ଲୋଡ ଶେଡିଂ ସମ୍ମୁଖୀନ ହୋଇଥିଲା। ଆମେ ଏହାକୁ ଏହାକୁ ସମାପ୍ତ କରିଥିଲୁ। ସମଗ୍ର ଦେଶରୁ ଆତଙ୍କବାଦକୁ ହଟାଇ ଦେଇଥିଲୁ। ଏହା ବ୍ୟତୀତ କରାଚିରେ ଶାନ୍ତି ସ୍ଥାପିତ ହୋଇଥିଲା, ରାଜପଥ ନିର୍ମାଣ କରାଯାଇଥିଲା, ସିପିଇସି ଆସିଥିଲା ଏବଂ ବିକାଶ ତଥା ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା ।

ଯଦି ଦେଶ ବିକାଶ କରିବାକୁ ଚାହୁଁଛି ତେବେ ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେବା ଉଚିତ। ମହିଳାମାନଙ୍କୁ ବିକାଶ ପାଇଁ ସମାନ ଅଂଶୀଦାର ହେବାକୁ ପଡ଼ିବ, ମହିଳାମାନଙ୍କୁ ମଧ୍ୟ ଏହି ଦେଶର ସେବାରେ ପୁରୁଷମାନଙ୍କ ସହିତ କାମ କରିବାକୁ ପଡ଼ିବ ବୋଲି ନଓ୍ବାଜ କହିଛନ୍ତି।

Share