ନୱାଜ ଶରିଫଙ୍କ ଉପରେ ପିଟିଆଇ କର୍ମୀଙ୍କ ଆକ୍ରମଣ, ମରିୟମ କହିଲେ ଗିରଫ ହୁଅନ୍ତୁ ଇମ୍ରାନ

ଲଣ୍ଡନ,୩ ।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଲଣ୍ଡନରେ ପାକିସ୍ତାନର ଶାସକ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଜଣେ କର୍ମୀ ଲଣ୍ଡନରେ ଆକ୍ରମଣ କରିଛନ୍ତି । ଇମ୍ରାନ ଖାଁ ସରକାରଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ କରାଯାଇଛି । ରବିବାର ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ଏହି ଘଟଣାର ସୂଚନା ପାକିସ୍ତାନର ଜଣେ ଖବରଦାତା ଦେଇଛନ୍ତି । ସେ କହିଛନ୍ତି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରସାସ ଚାଲିଛି । ପାକିସ୍ତାନର ଫ୍ୟାକ୍ଟ ଫୋକସ ମିଡିଆ ପ୍ଲାଟଫର୍ମରେ କାମ କରୁଥିବା ପାକିସ୍ତାନୀ ଖବରଦାତା ଅହମ୍ମଦ ନୁରାନି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ପିଟିଆଇ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର । କାରଣ ଏହି ଦଳ ଏବେ ସବୁ ସୀମା ଅତିକ୍ରମ କରି ସାରିଲାଣି । ଶାରୀରିକ ହିଂସାକୁ କେବେ କ୍ଷମା ଦେବା କଥା ନୁହେଁ । ଏହି ଆକ୍ରମଣରେ ନୱାଜ ଶରିଫଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।
ନୱାଜ ଶରିଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ତାଙ୍କ ଝିଅ ମରିୟମ ନିନ୍ଦା କରିବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଇମ୍ରାନଙ୍କୁ ଉସକାଇବା ଓ ଦେଶଦ୍ରୋହ ମାମଲାରେ ଗିରଫ କରାଯାଉ । ସେ ଆହୁରି ମଧ୍ୟ ଟୁଇଟ୍ କରି ଲେଖିଛନ୍ତି ପିଟିଆଇର ଯେଉଁ ଲୋକେ ହିଂସାର ସାହାରା ନେଉଛନ୍ତି ଅବା ଆଇନ ବ୍ୟବସ୍ଥାକୁ ଖରାପ କରିବାର ସ୍ଥିତି ଉପୁଜାଉଛନ୍ତି ସେମାନଙ୍କୁ ଗିରଫ କରାଯାଉ ।

Share