ନଓ୍ବାଜଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ: ଜାମିନ ପାଇଁ କୋର୍ଟକୁ ଯିବ ପିଏମଏଲଏନ…

ଇସଲାମାବାଦ,୨।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ ହେବାରେ ଲାଗିଛି। ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନଓ୍ବାଜ ଦେଶକୁ ଫେରିବା ପାଇଁ ପ୍ରତ୍ୟେକ କୌଶଳ ଆପଣାଇବାକୁ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ଦଳ ଚଳିତ ମାସ ଶେଷରେ ଦେଶକୁ ଫେରିବା ପୂର୍ବରୁ ଜାମିନ ପାଇଁ ଲାହୋର ହାଇକୋର୍ଟକୁ ଯିବ। ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି।

୭୩ ବର୍ଷ ବୟସ୍କ ନୱାଜ ନିକଟରେ କହିଥିଲେ ସେ ଅକ୍ଟୋବର ୨୧ ରେ ପାକିସ୍ତାନ ଫେରିପାରନ୍ତି। ଏହା ଦ୍ୱାରା ତାଙ୍କର ପ୍ରାୟ ଚାରି ବର୍ଷର ‘ଆତ୍ମ-ନିର୍ବାସନ’ ସମାପ୍ତ ହେ। ଜାନୁଆରୀ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ନୱାଜ ଦଳର ନେତୃତ୍ୱ ନେଇପାରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

ବାସ୍ତବରେ ନୱାଜ ସରିଫଙ୍କୁ ପଳାତକ ଅପରାଧୀ ଘୋଷିତ କରାଯାଇଛି। ଏଭଳି ପରିସ୍ଥିତିରେ ଲାହୋର ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ, କୋର୍ଟକୁ ଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜାମିନ ପାଇଁ ଦଳ କେବେ କୋର୍ଟଙ୍କ ନିକଟକୁ ଯିବ ତାହା ସ୍ପଷ୍ଟ ହୋଇନାହିଁ।

ପିଏମଏଲ-ଏନ ନେତାମାନେ କହିଛନ୍ତି ଲଣ୍ଡନରେ ଅନୁଷ୍ଠିତ ଏକ ସଭାରେ ନୱାଜ, ତାଙ୍କ ସାନଭାଇ ଶେହବାଜ ସରିଫ ଏବଂ ତାଙ୍କ ଝିଅ ମରିୟମ ନୱାଜଙ୍କ ସହ ହୋଇଥିବା ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି। ସୂତ୍ରରୁ ପ୍ରକାଶ ନୱାଜ ଘରକୁ ଫେରିବା ପୂର୍ବରୁ ଦୁଇ ଦିନ ଆଗରୁ ଜାମିନ ଆବେଦନ କରାଯିବ। ଆସନ୍ତା ସାତ ଦିନ ପାଇଁତାଙ୍କୁ ଗିରଫ କରାଯିବା ଉଚିତ ନୁହେଁ ବୋଲି ଏକ ଆବେଦନ କରାଯିବ। ସେ ସମ୍ପୃକ୍ତ କୋର୍ଟରେ ଆତ୍ମ ସମର୍ପଣ କରିବେ।

ସୂଚନାନୁସାରେ, ଯଦି ଜାମିନ ଆବେଦନ ଅନୁମୋଦନ ହୁଏ, ତେବେ ନୱାଜ ସରିଫଙ୍କୁ ଘରକୁ ଫେରିବା ପରେ ତୁରନ୍ତ ଜେଲ ଯିବାକୁ ପଡ଼ିବ ନାହିଁ। ସେହି ପରିସ୍ଥିତିରେ ସେ ମିନାର-ଇ-ପାକିସ୍ଥାନ ପଡିଆରେ ପ୍ରସ୍ତାବିତ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାକୁ ସମର୍ଥ ହେବେ।

Share