ନଓ୍ବାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପତ୍ନୀ, କହିଲେ…

ବମ୍ବେ: ଅଭିନୟରେ ଯେତିକି ସଫଳ, ବ୍ୟକ୍ତିଗତ ଜୀବନରେ ସେତିକି ଅସଫଳ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ଦୀର୍ଘଦିନ ଧରି ତାଙ୍କର ପାରିବାରିକ ବିବାଦ ଚର୍ଚ୍ଚାରେ ରହି ଆସୁଛି। ଏବେ ପତ୍ନୀ ଆଲିଆ ଅଭିନେତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ସେ ଇନଷ୍ଟାଗ୍ରାମରେ କାନ୍ଦୁଥିବାର ଭିଡିଓ ଶେୟାର କରିଛନ୍ତି।

ଆଲିଆ କହିଛନ୍ତି, ନଓ୍ବାଜୁଦ୍ଦିନ ତାଙ୍କ ପିଲାମାନଙ୍କ କଷ୍ଟଡି ନେବାକୁ ଚେଷ୍ଟା ଚଳାଇଛନ୍ତି। ଯେଉଁ ବ୍ୟକ୍ତି ଆଜିଯାଏ ପିଲାମାନଙ୍କର କୌଣସି ଦାୟିତ୍ୱ ଗ୍ରହଣ କରିନାହାନ୍ତି ସେ କୋର୍ଟରେ ସେମାନଙ୍କ ରକ୍ଷଣାବେକ୍ଷଣ ଦାବି କରୁଛନ୍ତି। ତାଙ୍କଠାରୁ ପିଲାମାନଙ୍କୁ ଛଡେଇ ନେବାକୁ ନଓ୍ବାଜ ଚାହୁଁଛନ୍ତି। ସେ ଜଣେ ଭଲ ବାପା ବୋଲି ସମସ୍ତଙ୍କୁ ଜଣାଇବାକୁ ଚାହାନ୍ତି। ହେଲେ ସେ ଜଣେ ଭୀରୁ ଏବଂ ଭୟଭୀତ ପିତା। ନିଜର ଶକ୍ତିର ଅପବ୍ୟବହାର ସେ କରୁଛନ୍ତି। ହେଲେ ଟଙ୍କା ଦେଇ କେତେ ଲୋକଙ୍କୁ କିଣିବେ। ସେ ନିଜ ସନ୍ତାନମାନଙ୍କ ପାଖରୁ ଜଣେ ମା’କୁ ଦୂରେଇବାକୁ ଚାହୁଁଛନ୍ତି। ପତ୍ନୀର ଅଧିକାର କେବେହେଲେ ସେ ଦେଇନାହାନ୍ତି। ହେଲେ ମୁଁ ତାଙ୍କୁ ସ୍ବାମୀ ଭାବେ ଗ୍ରହଣ କରିଛି। ତେବେ ଆଇନ ଏବଂ କୋର୍ଟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଫଳାଫଳ ତାଙ୍କ ସପକ୍ଷରେ ଆସିବ ବୋଲି ସେ କହିଛନ୍ତି।

ଭିଡିଓ ଶେୟାର କରିବା ବେଳେ ଆଲିଆ ନଓ୍ବାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଦାଖଲ କରିଥିବା କହିଛନ୍ତି। ଏହାଛଡ଼ା କୌଣସି ପରିସ୍ଥିତିରେ ପିଲାମାନଙ୍କୁ ଜଣେ ହୃଦୟହୀନ ବ୍ୟକ୍ତିଙ୍କ ପାଖକୁ ଯିବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି।

Share